ଜନଜାତିଙ୍କୁ ନବୀନଙ୍କ ଭେଳିକି: ଉଚ୍ଚଶିକ୍ଷା ପାଇଁ ୫୦ ହଜାର ଟଙ୍କା

ଚଳିତ ଶିକ୍ଷାବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚୀତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏ କି ଅଜବ ଘୋଷଣା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ଜନଜାତି ଅଧିକାର ମଂଚର ବରିଷ୍ଠ ନେତା ଜଳଧର ନାୟକ । କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜନଜାତି ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ଘୋଷଣା କରି ନବୀନ ସରକାର ଜନଜାତିର ଲୋକଙ୍କ ଭିତରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ।
ସେ କହିଛନ୍ତି, ସମ୍ବିଧାନରେ ଜନଜାତିଙ୍କ ଭିତରେ ମତଭେଦ କରାଯାଇନି । ଜଣେ ଆଦିବାସୀ ନେତା ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇଯିବା ପରେ ତାଙ୍କ ପିଲାମାନଙ୍କୁ ସଂରକ୍ଷଣ ସୁବିଧାରୁ ବାଦ ଦିଆଯାଉନି । ଜନଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ସେଭଳି କିଛି ପାତରଅନ୍ତର ନାହିଁ । ଜନଜାତିର ମୂଲିଆ ଲୋକଟିର ପିଲାଙ୍କୁ ଯୋଉ ସୁବିଧା ମିଳୁଛି, ଜନଜାତିର ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇ ଦିଆଯାଉଛି ।

ତେବେ କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜନଜାତି ପିଲାଙ୍କୁ ଆର୍ଥିକ ସହାୟତା ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ରୀଙ୍କୁ ସରକାରୀ ସହାୟତାରୁ ବଂଚିତ କରିବା ଅନୁଚିତ ।
ସେ ପୁଣି କହିଛନ୍ତି, ସରକାରୀ ଅବା ବେସରକାରୀ ଶିକ୍ଷାନୁଷ୍ଠାନରେ ଅନୁସୂଚୀତ ଜାତି ଓ ଜନଜାତିର ପିଲାମାନଙ୍କ ନାମଲେଖା ଫିସ ସରକାର ଘୋଷଣା କରିବା ସତ୍ୱେ ଉଭୟ ଶିକ୍ଷାନୁଷ୍ଠାନଗୁଡ଼ିକ ମନଇଛା ଫିସ୍‌ ଆଦାୟ କରୁଛନ୍ତି ।

ସେହିପରି, ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା, ଅନୁସୂଚୀତ ଜାତି ଓ ଜନଜାତିର ପୁଅଝିଅଙ୍କ ନାମଲେଖା ଫିସ୍‌ ସମେତ କଲେଜର ବିକାଶମୂଳକ ପାଣ୍ଠି ଫିସ, ଲାଇବ୍ରେରୀ ଫିସ୍‌, ଲାବ୍‌ ଫିସ, କ୍ରୀଡ଼ା ବିକାଶ ଫିସ୍‌ ଧାର୍ଯ୍ୟ କରନ୍ତୁ ସରକାର । ଯୋଉ କଲେଜ ସରକାରଙ୍କ ଧାର୍ଯ୍ୟ ଫିସରୁ ଅଧିକ ଆଦାୟ କରୁଥିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର ।