ବାହାପିଆ ବିଜେଡି ସରକାର: କଥାରେ ଚାଲିଛି ‘ବସୁଧା’

ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଘୋଷଣା କରିଛନ୍ତି ‘ବସୁଧା’ । କୋଉଠୁ ନଦୀରୁ ପାଇପ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରାଯାଉଛି ତ କୋଉଠି ଗଭୀର କୂଅ ଖୋଳାଯାଇ ପାଣି ଯୋଗାଇ ଦିଆଯାଉଛି । ପ୍ରତି ପ୍ରକଳ୍ପ ବାବଦକୁ ରାଜକୋଷରୁ ସର୍ବାଧିକ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଠିକାଦାର ଓ ସରକାରୀ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ କାରଣରୁ ନିର୍ମାଣାଧୀନ ‘ବସୁଧା’ ଲୋକଙ୍କ ପାଇଁ ଅଭିଶାପ ହୋଇଛି ।

ଏହି ଅସୁବିଧା କେବଳ କଳାହାଣ୍ଡି, ସମ୍ବଲପୁର, ଫୁଲବାଣୀ, କୋରାପୁଟ ଜିଲ୍ଲାରେ ନାହିଁ । କଟକ, ପୁରୀ, ନୟାଗଡ଼, ଜଗତସିଂପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଭଳି ଜିଲ୍ଲାଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି ।

ସବୁଠାରୁ ଦୁଃଖର କଥା, ଅଧିକାଂଶ ଗ୍ରାମରେ ବସୁଧା ଯୋଜନା ସଂପର୍କୀତ ଫଳକ ଲଗାଯାଇଛି । ଉକ୍ତ ଫଳକରେ ପାଣି ଯୋଗାଇ ଦିଆଯାଉଥିବା ବିଷୟ ଉଲ୍ଲେଖ କରାଯାଇଛି । ମାତ୍ର ଉକ୍ତ ଗ୍ରାମର କୌଣସି ପରିବାର ବସୁଧା ଯୋଜନାରେ ପାଣି ପାଉନାହାନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅଂଚଳରେ ।

ଏ ତ ଗଲା ଭୁବନେଶ୍ୱରଠାରୁ ୮୦ କିଲୋମିଟର ଦୂର ରଣପୁର ବ୍ଲକର ବସୁଧା କଥା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରେ ମଧ୍ୟ ବସୁଧା ଯୋଜନାର ସୁଫଳ ମିଳୁନି । ମୋଟ ଉପରେ କହିଲେ, ସାରା ଓଡ଼ିଶାର ବସୁଧା ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ।

କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସବୁ ଜନସଭାରେ ନିଲଠାଙ୍କ ଭଳି ଆତ୍ମପ୍ରଶଂସା ଗାଇ ଚାଲିଛନ୍ତି, ନିଲଠା ଜନତା ତାଙ୍କ ଆତ୍ମପ୍ରଶଂସାକୁ ଶୁଣି ତାଳି ମାଡ଼ କରୁଛନ୍ତି ।