ନୂଆବର୍ଷ ପାଳନ କରିବାକୁ ଯାଇ ଭେଟିଲେ ଯମଦୂତ

ପୁଲିସ ଯୁବକମାନଙ୍କ ଗାଡ଼ିଚାଳନାକୁ ମଧ୍ୟ ଦାୟୀ କରିଛି….

ନୂଆଦିଲ୍ଲୀ: ନୂଆବର୍ଷ ପାଳନ କରିବାର ଆଗ୍ରହ କିଛି ଯୁବକଙ୍କ ପାଇଁ ମରଣଠାରୁ ବଳିଯାଇଛି । ଗୁରୁଗ୍ରାମରୁ ଶିମଲା ଅଭିମୁଖେ ଯାଉଥିଲେ ୫ ଜଣ ଯୁବକ । ଦ୍ରୁତଗତିରେ ଯାଉଥିଲା ବେଳେ ଅମ୍ବାଲା କେଂଟ ନିକଟରେ ସେମାନଙ୍କ ଗାଡ଼ିଟି ସାମ୍ନାରେ ଯାଉଥିବା ଏକ ଟ୍ରକପଛରେ ପଶିଗଲା । ଗାଡ଼ିଟି ଟ୍ରକପଛରେ ଏତେ ଜୋରରେ ପିଟିହେଲା ଯେ ଗାଡ଼ିଟିର ଉପର ଛାତ ଉଡ଼ିଗଲା । ଦୁର୍ଘଟଣାର ଶିକାର ହୋଇଥିବା ଯୁବକମାନଙ୍କ ଭିଡିଓ ଚିତ୍ରରୁ ଦୁର୍ଘଟଣାର ଭୟଙ୍କର ଚେହେରା ସ୍ପଷ୍ଟ ହୋଇଛି ।

ଘଟଣାସ୍ଥଳରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ପୁଲିସ ମୃତ ଯୁବକଙ୍କ ବ୍ୟବଚ୍ଛେଦ କରି ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରିଛି । ପ୍ରାଥମିକ ତଦନ୍ତ କରି ପୁଲିସ କହିଛି ଯେ ଟ୍ରକଟି ଅଚାନକ ବ୍ରେକ୍‌ ମାରିବାରୁ ଏଭଳି ଦୁର୍ଘଟଣା ଘଟିଲା । ପୁଲିସ ଯୁବକମାନଙ୍କ ଗାଡ଼ିଚାଳନାକୁ ମଧ୍ୟ ଦାୟୀ କରିଛି । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ପରିବାର ଲୋକେ ଅମ୍ବାଲା କେଂଟ ସ୍ଥିତ ସରକାରୀ ଡାକ୍ତରଖାନାରେ ପହଂଚିଛନ୍ତି ।