ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ ହୋଇଥିବା ରାଜନୈତିକ ହିଂସାର ଯାଂଚ ସବିଆଇ ହାତକୁ ଦିଆଯାଇଛି । ଏନେଇ କୋଲକତା ହାଇକୋର୍ଟ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ଚଳିତମାସ ୨୧ ତାରିଖ ରାତିରେ କିଛି ଦୁର୍ବୃତ୍ତ ବୀରଭୂମ ଜିଲ୍ଲା ବୋଗତୁଇ ଗ୍ରାମରେ କିଛି ଲୋକଙ୍କୁ ଘର ଭିତରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ । ଏହାପରେ ନିଆଁରେ ପୋଡି ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ଜଣେ ନେତାଙ୍କୁ ବୋମା ମାଡ କରି ହତ୍ୟା କରିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କିଛି ଦୁର୍ବୃତ୍ତ ୧୦/୧୨ ଟି ପରିବାରକୁ ଘରେ ତାଲା ପକାଇ ବାହାର ପଟୁ ନିଆଁ ଲଗାଇ ଦେଇଥିଲେ । ଏହି ନିଆଁରେ ଜଳି ୬ ଜଣ ମହିଳା ଓ ୨ ଜଣ ଶିଶୁଙ୍କ ସମେତ ମୋଟ ୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।