‘ପଞ୍ଚସୁତ୍ରୀ ଫର୍ମୁଲା’ ମାନିବ ତ ଚୀନ୍!

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସାକ୍ଷାତକାର ପରେ ବିବାଦର ଆପୋଷ ସମାଧାନ ପାଇଁ ୫ ସୁତ୍ରୀ ଫର୍ମୁଲା ସ୍ଥିର ହୋଇଛି। ଉଭୟ ପକ୍ଷରୁ ଏନେଇ ସହମତି ପ୍ରକାଶ ପାଇଥିବା ବେଳେ ଚୀନ୍ କେତେଦୂର ଏହାକୁ ପାଳନ କରୁଛି ଏନେଇ ବଡ଼ ପ୍ରଶ୍ନବାଚୀ।

ମସ୍କୋ ଠାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ପ୍ରାୟ ଅଢ଼େଇ ଘଣ୍ଟା ଧରି ଉଭୟ ନେତା ସୀମା ବିବାଦ ସମାଧାନ ନେଇ ଆଲୋଚନା କରିଥିଲେ। ବିବାଦ ବେଶୀ ଦିନ ଜାରି ରହିଲେ କାହାର ବି ଲାଭ ହେବନି ବୋଲି ଉଭୟ ପକ୍ଷ ସ୍ୱୀକାର କରିଛନ୍ତି। ଏଥିସହ କେଉଁ ପ୍ରକ୍ରିୟାରେ ପୂର୍ବସ୍ଥିତି ଫେରାଇ ଅଣାଯାଇ ପାରିବ ଏନେଇ ପଞ୍ଚସୁତ୍ରୀ ଫର୍ମୁଲା ସ୍ଥିର କରିଛନ୍ତି।

  • ସୀମାରେ ଅବସ୍ଥାପିତ ଦୁଇ ଦେଶର ସୈନ୍ୟବାହିନୀ ପପସ୍ପର ଆଲୋଚନା ଜାରି ରଖିବେ, ଉପଯୁକ୍ତ ଦୂରତା ବଜାୟ ରଖିବେ ଏବଂ ଉତ୍ତେଜନା ହ୍ରାସ ଲାଗି ଚେଷ୍ଟା କରିବେ।
  • ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଉଭୟ ପକ୍ଷ ଧ୍ୟାନ ଦେବେ। ଏଥିରେ ଯେମିତି କୌଣସି ବିବାଦ ନ ଉପୁଜିବ ଉଭୟ ଦେଶ ଧ୍ୟାନ ଦେବେ।
  • ସୀମା ପରିଚାଳନା ସହ ଜଡିତ ସମସ୍ତ ଚୁକ୍ତିନାମା ଏବଂ ନିୟମ ଉଭୟ ପଟୁ ପାଳନ କରାଯିବ।
  • ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ଲାଗି ଉଭୟ ପକ୍ଷ ପରସ୍ପରର ଆସ୍ଥାଭାଜନ ହେବାଲାଗି ଚେଷ୍ଟା କରିବେ।
  • ସ୍ୱତନ୍ତ୍ର ପ୍ରତିନିଧୀ (ଏସ୍‌ଆର୍‌) ପ୍ରଣାଳୀ ମାଧ୍ୟମରେ ସୀମା ସମ୍ପର୍କିତ ଆଲୋଚନା ଏବଂ ଯୋଗାଯୋଗ ଜାରି ରହିବ।

ତେବେ ପୂର୍ବରୁ ଏଭଳି ସହମତିରେ ସ୍ବାକ୍ଷର ହୋଇଥିବା ଅନେକ ଚୁକ୍ତି ଚୀନର ପିଏଲଏ ଭଙ୍ଗ କରିସାରିଛି। ଏଲଏସିରେ ଏବେ ବି ସ୍ଥିତି ଉତ୍ତେଜନାମୂଳକ ରହିଥିବା ବେଳେ ଚୀନ୍ କେତେଦୂର ଏହି ପଞ୍ଚସୁତ୍ରୀ ଫର୍ମୁଲାକୁ ପାଳନ କରୁଛି ତାହା ଉପରେ ସମସ୍ତଙ୍କ ନଜର।