ଆଇପିଏଲ ମ୍ଯାଚ୍: ତୃତୀୟ ଥର ପାଇଁ ହାରିଲା ରାଜସ୍ଥାନ

ଭୁବନେଶ୍ବର (ଏସ୍ ନ୍ଯୁଜ ): ଚଳିତ ଆଇପିଏଲରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଟପ ସ୍ଥାନ ହାସଲ କରିଛି । ମୁମ୍ବାଇ  ଦଳ ୫୭ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି ।
ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କ ଲଢୁଆ ଅର୍ଦ୍ଧ ଶତକ ଓ ପରେ ପେସରଙ୍କ ଘାତକ ବୋଲିଂ ଯୋଗୁ ମୁମ୍ବାଇକୁ ମିଳିଛି ସହଜ ବିଜୟ। ୬ ମ୍ୟାଚରୁ ୪ ଜିତି ରୋହିତ ଶର୍ମାଙ୍କ ଦଳ ସର୍ବାଧିକ ୮ ପଏଣ୍ଟ ହାସଲ କରିଛି ।

ଅନ୍ୟ ପକ୍ଷରେ ରାଜସ୍ଥାନ କ୍ରମାଗତ ୩ ପରାଜୟ ବରଣ କରିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୪୭ ବଲରେ ଖେଳିଥିଲେ ୭୯ (  ୧୧ ଚଉକା ଓ ୨ଛକା ) ରନର ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକୀୟ ପାଳି । ତାଙ୍କ ଛଡା  କ୍ୱିଣ୍ଟନ ଡି କକ୍‌ ୨୩, ଅଧିନାୟକ ରୋହିତ୍‌ ଶର୍ମା ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ଶ୍ରେୟାସ ଗୋପାଳ ୨ଟି ଉଇକେଟ୍‌ ନେଇଥିଲେ। ପଦାର୍ପଣ କାରୀ ପେସର କାର୍ତ୍ତିକ ତ୍ୟାଗୀ ଓ ଜୋଫ୍ରା  ଆର୍ଚ୍ଚର ଗୋଟେ ଲେଖା ଉଇକେଟ ହାତେଇଥିଲେ ।

ସେପଟେ ଜବାବରେ ମୁମ୍ବାଇ ପେସରଙ୍କ ସାମ୍ନାରେ ତିଷ୍ଟି ପାରି ନ ଥିଲେ  ରାଜସ୍ଥାନ ବ୍ୟାଟ୍ସମ୍ୟାନ । ମାତ୍ର ୪୨ ରନରେ ପ୍ରମୁଖ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇ ପରାଜୟ  ମୁହଁକୁ ଚାଲି ଯାଇଥିଲା ରାଜସ୍ଥାନ। ହେଲେ କୋଣସି ବୋଲରଙ୍କୁ ଛାଡିବା ଇଚ୍ଛାରେ ନ ଥିଲେ ଜୋସ ବଟଲର। ସେ ୪୪ ବଲରେ ୭୦ ରନ କରିଥିଲେ । ତାଙ୍କ ପାଳିରେ ଥିଲା ୪  ଚଉକା ଓ ୫ ଛକା । ଜେମ୍ସ ପାଟିନସନଙ୍କ ବଲକୁ ଛକା ମାରିବାକୁ ଯାଇ କିରନ ପୋଲାର୍ଡଙ୍କ ହାତରେ ଧରା ପଡ଼ିଥିଲେ । ବଟଲର ଆଉଟ ହେବା ପରେ ଆଉ କାହାକୁ ଖାତିର କରି ନ ଥିଲେ  ମୁମ୍ବାଇ ବୋଲର । ଫଳରେ ରାଜସ୍ଥାନ ୧୮ .୧ ଓଭରରେ ୧୩୬ ରନ କରି ଅଲଆଉଟ ହୋଇଯାଇ ଥିଲା । ଯଶପ୍ରୀତ ବୁମରା ୪ ଉଇକେଟ ହାସଲ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ପାଟିନସନ ୨ ଲେଖା ସଫଳତା ପାଇଥିଲେ ।