ଆର୍‌ସିବିକୁ ହରାଇ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

                                      

ଭୁବନେଶ୍ବର (ଏସ୍ ନ୍ଯୁଜ): ଚଳିତ ଆଇପିଏଲରେ ସୋମବାର ଖେଳାଯାଇଥିବା ମ୍ୟାଚରେ କୋହଲିଙ୍କୁ ମାହାଙ୍ଗା ପଡିଲା ପ୍ରଥମେ ବୋଲିଂ ନିଷ୍ପତ୍ତି। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ସହଜ ବିଜୟ ହାସଲ କରିଛି ।

ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧ ଶତକ ଓ କାଗିସୋ ରାବାଡାଙ୍କ ଘାତକ ବୋଲିଂ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଆଣ୍ଠେଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ଆର୍‌ସିବିକୁ ହରାଇ ଦେଇଛି । ବିଜୟ ସହ ଦିଲ୍ଲୀ ଫ୍ରାଞ୍ଚାଇଜ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହାତେଇଛି ।
 ଦୁବାଇରେ ରବିବାର ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ ) ବିଶାଳ ଟାର୍ଗେଟର ପିଛା କରି ବିନା ଉଇକେଟରେ ବିଜୟ ହାସଲ କରିଥିଲା । ସମାନ ପିଚରେ ମ୍ୟାଚ ଖେଳାଯାଉ ଥିବାରୁ ଆରସିବି ଅଧିନାୟକ କୋହଲି ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହା ଥିଲା ମ୍ୟାଚରେ କୋହଲିଙ୍କ ପ୍ରଥମ ଓ ସବୁଠୁ ବଡ଼ ଭୁଲ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ ୨୬ ବଲରୁ ୫୩ (୬ ଚଉକା ଓ ୨ ଛକା ) ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି  ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀ ଶ ୪୨, ଶିଖର ଧାଓ୍ବନ ୩୨ ଓ ରିଷଭ ପନ୍ତ ୩୭ ରନ କରିଥିଲେ। ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ୨ଟି ଉଇକେଟ୍‌ ନେଇଥିଲେ। ସ୍କୋର ଏତେ ବଡ଼ ହୋଇ ନ ଥାନ୍ତା, ଯଦି ଷ୍ଟୋଇନିସଙ୍କ କ୍ୟାଚ ୟୁଜବେନ୍ଦ୍ର ଚହଲ ଧରିଥାନ୍ତେ। ଆରସିବିର ଏହା ଥିଲା ଦ୍ଵିତୀୟ ବଡ଼ ଭୁଲ । ବିଶାଳ ବିଜୟ ଲକ୍ଷ୍ୟ ଓ ରାବାଡାଙ୍କ ଘାତକ ବୋଲିଂ ଆଗରେ ଆରସିବି ଆଣ୍ଠେଇ ପଡିଥିଲା।

ସମ୍ପୂର୍ଣ ୨୦ ଓଭରରେ ୯  ଉଇକେଟ୍‌ ହରାଇ ଦଳ  ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରମୁଖ  ଖେଳାଳିଙ୍କ ଠାରୁ ଦଳ ବଡ଼ ଇନିଂସ ଦରକାର କରୁଥିଲା । ହେଲେ କୋଣସି ବ୍ୟାଟ୍ସମ୍ୟାନ ଆରସିବି ଦଳର ଆଶା ପୂରଣ କରି ପାରି ନ ଥିଲେ । ଏପରିକି ଅଧିନାୟକ କୋହଲିଙ୍କ ଛଡା ସଫଳ ହୋଇ ନ ଥିଲେ ଅନ୍ୟ ବ୍ୟାଟ୍ସମାନ । ବିଜୟୀ ଦଳର ରାବାଡା ୨୪ ରନ ଦେଇ ସର୍ବାଧିକ ୪ ଉଇକେଟ ନେଇଥିଲେ । ସେ ତୃତୀୟ ଥର ପାଇଁ କୋଣସି ଆଇପିଏଲ ମ୍ୟାଚରେ ୪ ଉଇକେଟ ହାସଲ କରିଛନ୍ତି । ଅନରିଚ ନର୍ଟଜେ ଓ ଅକ୍ଷର ପଟେଲ ୨ ଲେଖା ସଫଳତା ପାଇଥିଲେ ।