ବଢୁଛି କଙ୍ଗନାଙ୍କ ଅଡୁଆ

ମୁମ୍ବାଇ: ବଲୁଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ଏବେ ଅଡୁଆରେ ପଡିଛନ୍ତି । ସବୁଆଡୁ ତାଙ୍କୁ ଏବେ ସମାଲୋଚନା କରାଯିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ ହେଉଛି । ଦେଶର ବିଭିନ୍ନ ରାଜ୍ୟରେ କଙ୍ଗନାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । କଙ୍ଗନା ଏକ ସାକ୍ଷାତକାରରେ କହିଛନ୍ତି ୧୯୪୭ରେ ଭାରତକୁ ଭିକରେ ସ୍ୱାଧୀନତା ମିଳିଥିଲା । ପ୍ରକୃତରେ ୨୦୧୪ରେ ହିଁ ଭାରତ ସ୍ୱାଧୀନ ହୋଇଛି ବୋଲି କହିଥିଲେ । ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ବହୁ ନେତା ଓ ମନ୍ତ୍ରୀମାନେ ତାଙ୍କୁ ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ କଙ୍ଗନାଙ୍କ ବିରୋଧରେ ଦୁଇଟି ସ୍ଥାନରେ ମାମଲା ରୁଜୁ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଏବଂ ଶହିଦଙ୍କୁ ଅପମାନ କରିବା ଅଭିଯୋଗରେ କେସ୍‌ ରୁଜୁ କରାଯାଯାଇଛି । ସେହିପରି ମହିଳା କଂଗ୍ରେସ ତରଫରୁ ରାଜସ୍ଥାନର ୪ଟି ସହରରେ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର୍‌ ମଧ୍ୟ ରୁଜୁ କରାଯାଇଥିବା ଜଣାପଡିଛି । ଏହାବ୍ୟତୀତ ଆମ ଆଦମୀ ପାର୍ଟି ପକ୍ଷରୁ ମୁମ୍ବାଇ ପୁଲିସ ଷ୍ଟେସନରେ ମଧ୍ୟ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୫୦୪, ୫୦୫ ଏବଂ ୧୨୪(ଏ) ଜାରିଆ କେସ୍‌ ରୁଜୁ କରିବା ପାଇଁ ଆପ ଦାବି କରିଛି । ଆପ କର୍ମୀମାନେ ମଧ୍ୟ ଗାଜିଆବାଦରେ ଅଭିଯୋଗ କରିଛନ୍ତି । ଏହାରି ଭିତରେ କଙ୍ଗନାଙ୍କ ବୟାନକୁ ବିରୋଧରେ କରି ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇବା ସହ ତାଙ୍କ ବିରୋଧରେ ବିଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ କଙ୍ଗନାଙ୍କ ଠାରୁ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବାକୁ ଦାବି ହୋଇଛି ।