କଶ୍ମୀରୀ ଟିଭି ଅଭିନେତ୍ରୀ ହତ୍ୟାକାରୀ ୨ ଆତଙ୍କବାଦୀ ନିହତ

କଶ୍ମୀରୀ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିଲେ…

ଶ୍ରୀନଗର : ଜାମ୍ମୁ କଶ୍ମୀରର ଅବନ୍ତୀପୋରାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ହୋଇଛି । ଏଥିରେ ସୁରକ୍ଷା ବାହିନୀର ଯବାନମାନେ ବଡ କାର୍ଯ୍ୟାନୁଷ୍ଠାନ ନେଇ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଯେଉଁ ୨ ଆତଙ୍କବାଦୀ ନିହତ ହୋଇଛନ୍ତି, ସେମାନେ କଶ୍ମୀରୀ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିଲେ । ତେବେ ସେନାର ତଲାଶୀ ଅଭିଯାନ ଜାରି ରହିଥିବା ନେଇ କଶ୍ମୀର ଆଇଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କଶ୍ମୀର ଆଇଜିପି କହିଛନ୍ତି ଯେ, ଟିଭି କଳାକାରଙ୍କୁ ହତ୍ୟା କରାଯିବାର ୨୪ ଘଣ୍ଟା ମଧ୍ୟରେ ସେନା କାର୍ଯ୍ୟାନୁଷ୍ଠାନ ନେଇଛି ।

ସୂଚନାଯୋଗ୍ୟ, ବୁଧବାର ବଡଗାମ ଜିଲ୍ଲାର ଚଦୁରାର ହିଶାରୁ ଅଞ୍ଚଳରେ ଅଭିନେତ୍ରୀ ଅମରୀନ ନିଜ ପୁତିରା ସହିତ ଘର ବାହାରେ ଛିଡା ହୋଇଥିଲେ । ୨ ଜଣ ଆତଙ୍କବାଦୀ ହଠାତ ପହଞ୍ଚି ଗୁଳି କରିଥିଲେ । ଆକ୍ରମଣର ଶିକାର ହେବା ପରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା ।