ଶିଖ୍‌-ଖ୍ରୀଷ୍ଟିୟାନଙ୍କୁ କେଜ୍ରିୱାଲଙ୍କ ଉପହାର

ନୂଆଦିଲ୍ଲୀ : ଅଯୋଧ୍ୟାକୁ ମୁକ୍ତ ତୀର୍ଥ ଯାତ୍ରାର ପ୍ରତିଶ୍ରୁତି ପରେ ଏବେ ଆଉଏକ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଦିଲ୍ଲୀରୁ କରତାରପୁର ସାହିବ ଏବଂ ଭେଲନକନ୍ନିରେ ଶିଖ ଓ ଖ୍ରୀଷ୍ଟିୟାନଙ୍କୁ ମୁକ୍ତ ତୀର୍ଥଯାତ୍ରା ପ୍ରଦାନ କରିବେ । ନିକଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ବୃଦ୍ଧ ବ୍ୟକ୍ତିଙ୍କୁ ତୀର୍ଥ ଯାତ୍ରା ତାଲିକାରେ ସାମିଲ୍‌ କରିଥିଲେ । ଏବେ କରତାରପୁର ସାହିବ ଏବଂ ଭେଲନକନ୍ନିକୁ ମୁକ୍ତ ତୀର୍ଥଯାତ୍ରାରେ ସାମିଲ୍‌ କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ ସହିତ ଦିଲ୍ଲୀ-ଅଯୋଧ୍ୟା-ଦିଲ୍ଲୀ ମାର୍ଗରେ ଟ୍ରେନକୁ ସବୁଜ ପତାକା ଦେଖାଇବା କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଅନ୍ୟପକ୍ଷରେ ଅଯୋଧ୍ୟା ପାଇଁ ପ୍ରଥମ ଟ୍ରେନକୁ ଡିସେମ୍ବର ୩ରେ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ସୂଚନା ଅନୁଯାୟୀ, କୌଣସି ବି ବ୍ୟକ୍ତି ଯିଏ ଦିଲ୍ଲୀ ବାସିନ୍ଦା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ, ସେମାନେ ନିଜର ଆର୍ଥିକ ସ୍ଥିତି ନଦେଖି ଅନାୟସରେ ଯୋଜନା ଆଧାରରେ ଆବେଦନ କରିପାରିବେ । ଏଥିସହ ତାଙ୍କ ସହ ୨୧ ବର୍ଷରୁ ଅଧିକ ବୟସର ଜଣେ ସହାୟକଙ୍କୁ ସାଥିରେ ମଧ୍ୟ ନେଇପାରିବେ । ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନା ୨୦୧୯ ଜୁଲାଇ ୧୨ରୁ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଦିଲ୍ଲୀର ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା ପ୍ୟାକେଜ୍‌ ପ୍ରଦାନ କରୁଛନ୍ତି ।