ଲାଲୁଙ୍କ ଚାଲୁ: ଚାକିରି ବଦଳରେ ଜମି ହାସଲ

୪ କୋଟିର ଜମିକୁ ୨୬ ଲକ୍ଷରେ ଡିଲ୍‌…..

ପାଟନା: ବିହାର ରାଜନୀତିରେ ଅଗଷ୍ଟ ୨୪ ଲିପିବଦ୍ଧ ହୋଇ ରହିଗଲା । ଦୁଇ ସପ୍ତାହ ତଳେ ଗଠିତ ନୀତୀଶ କୁମାର-ଆରଜେଡି ମେଂଟ ସରକାର ବୁଧବାର (୨୪ ।୮) ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଆରଜେଡି ନେତାଙ୍କ ଘର ଉପରେ ସିବିଆଇ ଚଢ଼ଉ କରିଛି । ‘ଚାକିରି ପାଇଁ ଜମି’ ଆଧାରରେ ସିବିଆଇ ଲାଲୁଙ୍କ ଘନିଷ୍ଠ ସହକର୍ମୀ ସୁନିଲ ସିଂହ, ସୁବୋଧ ରାୟ ଓ ଦୁଇଜଣ ସାଂସଦ ଅଶଫାକ୍‌ କରିମ ଓ ଫୈୟାଜ ଅହମ୍ମଦଙ୍କ ଘର ଉପରେ ଚଢ଼ଉ କରିଛି ।

ଆଜିର ଚଢ଼ଉ ଫଳରେ ସିବିଆଇ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଡ଼ିଛି ବୋଲି କୁହାଯାଉଛି । ‘ଚାକିରି ପାଇଁ ଜମି’ କେଳେଙ୍କାରୀରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ସଂପୃକ୍ତ ଥିବା ଜଣାପଡ଼ିଛି । ରେଳବାଇରେ ଚାକିରି ଦେବାକୁ କହି ଲାଲୁ ପରିବାର କିଛି ମୂଲ୍ୟବାନ ଜମି ହାତେଇଛନ୍ତି । ଚଳିତ ବର୍ଷ ମେ’ ମାସରେ ଲାଲୁ ପରିବାର ନାମରେ ନୂଆ ମାମଲା ରୁଜୁ କରିଥିଲା ସିବିଆଇ । ମେ’ ମାସରେ ଲାଲୁଙ୍କୁ ବାଦ ଦେଲେ, ତାଙ୍କ ପତ୍ନୀ ରାବିଡି ଦେବୀ, ଦୁଇଝିଅ ମୀସା ଭାରତୀ ଓ ହେମା ଯାଦବଙ୍କ ସମେତ ଅନ୍ୟାନ୍ୟ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ ୧୭ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା ।

ସିବିଆଇ ସୂଚନା ମୁତାବକ, ୟୁପିଏ ସରକାର ଅମଳରେ ଲାଲୁ ଯାଦବ ୨୦୦୪ରୁ ୨୦୦୯ ରେଳବାଇ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ସେତେବେଳେ ରେଳବାଇରେ ଚାକିରି ଦେବାକୁ କହି ଲାଲୁ ଲାଂଚ ସ୍ୱରୂପ ଜମି ହାସଲ କରିଥିଲେ । ପ୍ରାୟ ୧୨ ଜଣଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରି ତା’ ବଦଳରେ ୭ଟି ଜମି ହାତେଇ ନେଇଥିଲେ। ସିବିଆଇ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଲାଲୁ ଯାଦବ ରେଳବାଇ ଦାୟିତ୍ୱରେ ଥିଲାବେଳେ ବିଜ୍ଞାପନ ପ୍ରକାଶ ନକରି ସିଧାସଳଖ ଯୁବକଙ୍କୁ ନିଯୁକ୍ତ କରିଥିଲେ ।