ଉତ୍ତର-ପୂର୍ବ ରାଜ୍ୟ ସମୂହ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ

ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ଏହି ଯୋଜନାରେ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୫ ଲକ୍ଷ ପ୍ରାର୍ଥୀଙ୍କୁ କୁଶଳୀ କରାଯିବ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ(ପିଏମକେଭିଓ୍ୱାଇ) ରେ ମଧ୍ୟ ୨ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆଗାମୀ ଦିନରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏହି ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଉଦ୍ୟୋଗୀ କରିବା ସହ ନିଯୁକ୍ତି ଦିଆଯିବାର ଯୋଜନା ହେବ । ସମସ୍ତଙ୍କୁ ଅପ୍ ସ୍କିଲ, ରି-ସ୍କିଲ ଓ ଜୀବନବ୍ୟାପୀ ଶିକ୍ଷାରେ ଯୋଡିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉପସାଗରୀୟ ଦେଶ ସମେତ ଅନେକ ବିକଶିତ ରାଷ୍ଟ୍ରରେ ଭାରତର ନେଟଓ୍ୱାର୍କ ବ୍ୟାପକ ହେବାରେ ଲାଗିଛି । ସ୍ୱାସ୍ଥ୍ୟସେବା ଓ ପାରାମେଡିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଆମ ଦେଶର ଛାତ୍ରଛାତ୍ରୀଙ୍କୁ ସେହି ସ୍ଥାନକୁ ପଠାଯାଇ ସେମାନଙ୍କୁ କୁଶଳୀ କରାଯାଉଛି । ଆମର ଦେଶର ପ୍ରତିଭା ଭାରତ ଓ ବିଶ୍ୱର ଆବଶ୍ୟକତାରେ ଉପଯୋଗ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଉଛି ।

ଆଗାମୀ ଦିନରେ ଭାରତ ବିଶ୍ୱର ଦକ୍ଷତା କ୍ଷେତ୍ରର ରାଜଧାନୀ ହେବ । ଆମ ଦେଶରେ ବରୋଜଗାରୀକୁ ହଟାଇବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ସହ ସମସ୍ତଙ୍କୁ ଆତ୍ମନିର୍ଭର କରିବାକୁ ପଡିବ । ଦକ୍ଷତା ବିକାଶ ଦ୍ୱାରା ଏହି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।