ପ୍ରେମପାଠ ବଡ଼ ଅଡୁଆ: ପାକ୍‌ ମହିଳା ସୀମାଙ୍କୁ ନିସ୍ତାର ନାହିଁ

Love is a big deal

ନେପାଳରେ ପେଟ ପାଇଁ ଖଟୁଥିବା ଭାରତୀୟ ନାଗରିକ ସଚୀନଙ୍କ ପାଖରେ ଏମିତି କ’ଣ ଦେଖିଲେ ପାକିସ୍ତାନୀ ମହିଳା ସୀମା ହୈଦର । ବାହା ହୋଇ ସଂସାର କରିବାକୁ ଆଗ୍ରହୀ ହେଲେ । ବାହା ହେଲେ ତ ଠିକ ଅଛି । ସେଇଠି ରହିଯାଇଥିଲେ ଭଲ ହୋଇଥାନ୍ତା । ମାତ୍ର ନା’, ସୀମାଙ୍କୁ ଅଥୟ କଲା ଭାରତର ଡାକ । ପରିଣାମ କ’ଣ ହେଲା?

ଭାରତରେ ପାଦ ଦେବା ମାତ୍ରେ ସୀମା ହୈଦର ପଛରେ ପଡ଼ି ଯାଇଛନ୍ତି ୟୁପି ପୁଲିସ, ଇଂଟେଲିଜେନ୍ସ ବ୍ୟୁରୋ, ଆଂଟି ଟେରରିଷ୍ଟ ସ୍କ୍ୱାଡ୍‌ ଭଳି ତଦନ୍ତକାରୀ ସଂସ୍ଥା । ସୀମାଙ୍କୁ ବାରମ୍ବାର ଜେରା କରି ତାଙ୍କ ପ୍ରେମ ରୂପକ ରସଗୋଲାରୁ ସବୁ ସିରା ବାହାର କରି ସାରିଲେଣି ।

ଜୁଲାଇ ୧୭ ତାରିଖ ଦିନ ୟୁପି-ଏଟିଏସ ଟିମ ଗ୍ରେଟର ନୋଏଡ଼ାର ରବୁପୁରା ଗ୍ରାମରେ ପହଂଚି ସୀମା ଓ ତାଙ୍କର କଥିତ ସ୍ୱାମୀ ସଚିନଙ୍କୁ ଥାନାକୁ ନେଇଆସିଲା । ଦୁହିଁଙ୍କୁ ଅଲଗା ଅଲଗା ଭାବେ ପ୍ରାୟ ୬ ଘଂଟା ଧରି ପଚରା ଉଚରା କଲା ।
ସୀମାଙ୍କ କାରଣରୁ ଭାରତର ସୀମା ପ୍ରତି ବିପଦ ବଢ଼ିଯାଇଛି । ତେଣେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ପରିବାର ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି ଡକାୟତ ଗୋଷ୍ଠୀ ।

ସୀମା ସହିତ ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ’ର କୌଣସି ଗୋପନୀୟ ସଂପର୍କ ରହିଛି କି ନା’; ତାହା ଜାଣିବା ପାଇଁ ୟୁପି ପୁଲିସ, ଏଟିଏସ ଓ ଆଇବି ଉଦ୍ୟମ କରୁଛି । ସୀମାଙ୍କ ଫୋନ୍‌ କଲ୍‌ ଡିଟେଲ୍ସ, ପାକିସ୍ତାନରୁ ଦୁବାଇ, ସେଠାରୁ କାଠମାଣ୍ଡୁ ଓ ଶେଷରେ ଗ୍ରେଟର ନୋଏଡ଼ା ପର୍ଯ୍ୟନ୍ତ ଲମ୍ବାଯାତ୍ରାର ଟିକିନିଖି ବିବରଣୀ ଯାଂଚ ଚାଲିଛି ।

ସୀମାଙ୍କର ଦୁଇଟି ପାସପୋର୍ଟ ଓ ଚାରିଟି ମୋବାଇଲ ପ୍ରତି ଅଧିକ ସନ୍ଦେହ କରାଯାଉଛି । ଭାରତର ଗୁପ୍ତଚର ସଂସ୍ଥା ହାତରେ ପଡ଼ିଥିବା ତଥ୍ୟ ମୁତାବକ ସୀମ ହୈଦରଙ୍କ ଭାଇ ପାକିସ୍ତାନ ସେନାରେ କାମ କରୁଛନ୍ତି । ଚାଚା ପାକ୍‌ ସେନାରେ ସୁବେଦାର ଅଛନ୍ତି । ପ୍ରଥମେ ସୀମା କହିଥିଲେ ଯେ ତାଙ୍କର ଭାଇ ସେନାରେ ନାହାନ୍ତି, କିନ୍ତୁ ସେନାରେ ଯୋଗଦାନ ପାଇଁ ଚେଷ୍ଟା ଜାରି ରଖିଛି ।
ଏମିତି ପ୍ରହେଳିକା ଭିତରେ ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ ସୀମାକୁ ଗିରଫ କରାଯିବାର ୧୪ ଦିନ ପରେ ମଧ୍ୟ ୟୁପି ପୁଲିସ ସୀମାଙ୍କର ମୋବାଇଲକୁ ଫରେନ୍‌ସିକ୍‌ ଲାବକୁ ପଠାଇନି ।