ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଠାକୁର

ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ……

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସିଆ-ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ । ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ ।

ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି । ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି । ଉପସ୍ଥିତ ଗଣମାଧ୍ୟମ ମାଲିକମାନଙ୍କୁ ସତର୍କ କରାଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ-ସମ୍ବାଦକୁ ଉଚ୍ଚ଼ ସ୍ୱରର ଉପସ୍ଥାପନା ଦୃଷ୍ଟିରୁ ବିଚାର ନ କରି ଅତିଥି ଆଲୋଚକ ଏବଂ ଚାନେଲର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖିବା ଉଚିତ ।

କରୋନା ମହାମାରୀ ସମୟରେ ଗଣମାଧ୍ୟମ ଗୁଡ଼ିକ ଲୋକଙ୍କୁ ଧରି ରଖିବା ସହ ପରସ୍ପର ସହ ସଂଯୋଗ ରକ୍ଷା କରି ମହାମାରୀର ପ୍ରକୋପରୁ ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଏ.ଆଇ.ବି.ଡି.ର ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀର ଆଲୋଚ୍ୟ ପ୍ରସଙ୍ଗ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା କରି ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମ ଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି । ଉତ୍ତମ ମାନର ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରମାନଙ୍କର ସହଯୋଗ କାମନା ମଧ୍ୟ କରିଛନ୍ତି । ସହଯୋଗ ମାଧ୍ୟମରେ ବିଶ୍ୱର ସଂସ୍କୃତି ସବୁ ଦେଶର ନିକଟତର ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥା ସ୍ଥାପନ ହୋଇପାରିବ ବୋଲି ଶ୍ରୀ ଠାକୁର କହିଛନ୍ତି ।