ବିଜେପି-କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର: ସର୍ଭେ

ବେଙ୍ଗାଲୁରୁ: ଆସନ୍ତାବର୍ଷ କର୍ଣ୍ଣାଟକରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଏବଂ ଜେଡିଏସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଛି । ସଂପ୍ରତି କର୍ଣ୍ଣାଟକରେ ବିଜେପି ସରକାରରେ ରହିଛି । ତେବେ ଆଉ ଆଗାମୀ ବିଧାନସଭା ନିର୍ବାଚନରେ ଦୁଇ ଜାତୀୟ ଦଳ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି । ନିକଟରେ ଆସିଥିବା ଏକ ସର୍ଭେରୁ ଏହି ସଙ୍କେତ ମିଳିଛି ଯେ, କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନାହିଁ । ଗତ ତିନି ମାସ ତଳେ ସର୍ଭେରୁ ଯାହା ଫଳାଫଳ ଆସିଥିଲା ତାହା ନିକଟରେ କରାଯାଇଥିବା ସର୍ଭେରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।

ସଦ୍ୟତମ ସର୍ଭେ ଅଗଷ୍ଟ ଶେଷ ଆଡକୁ କରାଯାଇଥିଲା । ରାଜ୍ୟର ତିନି ରାଜନୈତିକ ଦଳ ପ୍ରମୁଖ ପ୍ରସଙ୍ଗକୁ ନେଇ ମାହୋଲ ନିଜ ଆଡକୁ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ଏଥିରେ କୌଣସି ଦଳକୁ ଫାଇଦା ମିଳୁନଥିବା ଦେଖିବାକୁ ମିଳିଛି । ମେ-ଜୁନ ମାସରେ ହୋଇଥିବା ସର୍ଭେରେ ମଧ୍ୟ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନଥିବା ଦେଖିବାକୁ ମିଳିଥିଲା । ମେ-ଜୁନର ସର୍ଭେରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି । କାହାକୁ ପୂର୍ଣ୍ଣ ବହୁମତ ମିଳୁନାହିଁ । ମୋଟ ୨୨୪ ବିଧାନସଭା ଆସନରୁ ବିଜେପି ପାଖାପାଖି ୯୫ ସିଟ ଜିତୁଥିବା ବେଳେ କଂଗ୍ରେସ ପ୍ରାୟ ୧୦୦  ସିଟ ଜିତୁଥିବା ସର୍ଭେରେ ଅନୁମାନ କରାଯାଇଛି । ଜନତା କୌଣସି ଗୋଟିଏ ଦଳ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।