ପିତୃପକ୍ଷର ଶେଷ ଚାରିଦିନ ସବୁଠାରୁ ଶ୍ରେଷ୍ଠ

୨୩ ତାରିଖ ପିତର ନକ୍ଷତ୍ର କାରଣରୁ ମହାଶ୍ରାଦ୍ଧ

୨୫ ତାରିଖ ସର୍ବପିତୃ ଅମାବାସ୍ୟା ହେତୁ ମହାପୂଣ୍ୟ…..

୨୫ ତାରିଖରେ ସରୁଛି ପିତୃପକ୍ଷ । ଜ୍ୟୋତିଷଙ୍କ ମତରେ ପିତୃପକ୍ଷର ଶେଷ ଚାରିଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ସେପ୍ଟେମ୍ବର ୨୨ ତାରିଖରେ ସନ୍ନ୍ୟାସୀ ଯୋଗ, ୨୩ ତାରିଖରେ ପିତୃପୁରୁଷଙ୍କ ନକ୍ଷତ୍ର କାରଣରୁ ମହାଶ୍ରାଦ୍ଧ ଯୋଗ, ୨୪ ତାରିଖରେ ଅକାଳ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଶ୍ରାଦ୍ଧଯୋଗ, ୨୫ ତାରିଖରେ ସର୍ବପିତୃ ଅମାବାସ୍ୟା କାରଣରୁ ମହାଶ୍ରାଦ୍ଧ ଯୋଗ ସୃଷ୍ଟି କରୁଛି । ତେଣୁ ଅନ୍ତିମ ଚାରିଦିନ ଶ୍ରାଦ୍ଧକର୍ମ କରିବା ଫଳରେ ପିତୃପୁରୁଷ ସନ୍ତୁଷ୍ଟ ହୁଅନ୍ତି ।

୨୨ ସେପ୍ଟେମ୍ବର, ଗୁରୁବାର: ଏହିଦିନ ଦ୍ୱାଦଶୀ ତିଥି ପଡୁଛି । ତେଣୁ ଯେଉଁ ଲୋକ ସନ୍ନ୍ୟାସୀ ହୋଇ ଘର ଛାଡ଼ିଥିବେ ଓ ପରେ ମୃତ୍ୟୁବରଣ କରିଥିବେ । ସେମାନଙ୍କ ମୃତ୍ୟୁ ତିଥି ଜଣା ନଥିବା କାରଣରୁ ପିତୃପକ୍ଷର ଦ୍ୱାଦଶ ତିଥିରେ ଶ୍ରାଦ୍ଧ ଦେବା ଉଚିତ୍‌ । ୨୩ ସେପ୍ଟେମ୍ବର, ଶୁକ୍ରବାର: ସେଦିନ ମଘା ନକ୍ଷତ୍ର ଓ ତ୍ରୟୋଦଶ ତିଥି ରହୁଛି । ଏହି ସଂଯୋଗରେ ତର୍ପଣ, ପିଣ୍ଡଦାନ ଓ ବ୍ରାହ୍ମଣ ଭୋଜନକୁ ମହାଶ୍ରାଦ୍ଧ ବା ମଘା ଶ୍ରାଦ୍ଧ କୁହାଯାଏ । ମଘା ନକ୍ଷତ୍ରର ସ୍ୱାମୀ ପିତୃ । ତେଣୁ ସେଦିନ ଶ୍ରାଦ୍ଧ ଦେବା ବହୁତ ଶୁଭଦାୟକ ।

୨୪ ସେପ୍ଟେମ୍ବର, ଶନିବାର: ସେଦିନ ଚତୁର୍ଦ୍ଦଶୀ ଶ୍ରାଦ୍ଧ ଦିଆଯାଏ । ଉକ୍ତ ତିଥିରେ ସେହି ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧକର୍ମ କରାଯାଏ ଯେଉଁମାନେ କୌଣସି ଅସ୍ତ୍ରଶସ୍ତ୍ର ଆଘାତ ପାଇ ମରିଥାନ୍ତି; ବିଷପାନ କରି ମୃତ୍ୟୁବରଣ କରିଥାନ୍ତି; ଦୁର୍ଘଟଣାର ଶିକାର ହୋଇ ମରିଥାନ୍ତି ଓ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥାନ୍ତି ।

୨୫ ସେପ୍ଟେମ୍ବର ରବିବାର: ଏହିଦିନ ଅମାବାସ୍ୟା ତିଥି ରହୁଛି । ପିତୃପକ୍ଷର ଅନ୍ତିମ ଦିନଟିକୁ ସର୍ବପିତୃ ମୋକ୍ଷ ଅମାବାସ୍ୟା କହନ୍ତି । ସେଦିନ ସେହି ମୃତ ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ ଯେଉଁମାନଙ୍କ ଶ୍ରାଦ୍ଧ କୌଣସି କାରଣରୁ ଭୁଲି ଯାଇଥିବ । ଯୋଉମାନଙ୍କ ମୃତ୍ୟୁ ତିଥି ଜଣା ନଥିବ । ଏଭଳି ଦୁର୍ଲଭ ତିଥିରେ ଶ୍ରାଦ୍ଧ ଦେଲେ ସବୁ ପିତୃପୁରୁଷ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି । ଜ୍ୟୋତିଷଙ୍କ ମତରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶ୍ରାଦ୍ଧକର୍ମ କରାଯିବା ଦରକାର । ବିଶେଷ କରି ଦକ୍ଷିଣ ଦିଗକୁ ମୁହଁ କରି ଶ୍ରାଦ୍ଧ ଦିଆଯାଏ ।

ଜଳନ୍ତା ଅଙ୍ଗାର ଉପରେ ଗୁଡ଼, ଘିଅ, ଖିର ଓ ଭୋଜନ ଅର୍ପଣ କରାଯାଏ । ହାତରେ ଜଳ ନେଇ ସେଥିରେ ଧାନ, କଳାରାଶି, ଚାଉଳ, ଗାଈଖିର, ଧଳାଫୁଲ ପକାଇ ଅଙ୍ଗୁଳି ବାଟ ଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବ । ତମ୍ବାପାତ୍ରରେ ଜଳଦାନ କରିବା ଉଚିତ । ତା’ପରେ ଘର ବାହାରେ ଗାଈଗୋରୁ, କୁକୁର, କୁଆ ଓ ଚଢେ଼ଇମାନଙ୍କ ଉଦ୍ଦେଶ୍ୟରେ ଭୋଜନ ରଖିବା ଉଚିତ । ଏହାବାଦ ଗରିବ ଲୋକଙ୍କୁ ଭୋଜନ ଓ ଧନଦାନ କରିବା ବିଧି ରହିଛି ।

ପିତୃପୁରୁଷ ସନ୍ତୁଷ୍ଟ ରହିଲେ, ଘର ପରିବାରରେ ଥିବା ସବୁ ସମସ୍ୟା ସହଜରେ ସମାଧାନ ହୋଇଯାଏ । ଅଭାବ ଦୂର ହୁଏ । ଅଟକି ରହିଥିବା କାମ ଆଗେଇ ଚାଲେ । ପିତୃପୁରୁଷ ଅସନ୍ତୁଷ୍ଟ ରହିଲେ, ଦେବତା ଓ ଦେବୀମାନେ ଅସନ୍ତୁଷ୍ଟ ହୁଅନ୍ତି । ଯେତେ ଧନ ଅର୍ଜନ କଲେ, ଅଭାବ ଲାଗିରହେ । ପରିବାରରେ ଅଶାନ୍ତି ଲାଗି ରହେ । ଅତଏବ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତୁ, ମହାପୂଣ୍ୟ ଅର୍ଜନ କରନ୍ତୁ ।