ନେତାଜୀ ଜୟନ୍ତୀକୁ ‘ଦେଶ ନାୟକ ଦିବସ’ ଏବଂ ଜାତୀୟ ଛୁଟି ଘୋଷଣା କରିବାକୁ ମମତା ବାନାର୍ଜୀ ଙ୍କ ଦାବି

କୋଲକାତା : ୧୮୦୯, ଜାନୁଆରୀ ୨୩ ଭାରତ ଇତିହାସର ଏକ ପ୍ରମୁଖ ଦିବସ। ଆଜି ଦେଶ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳୁଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପଶ୍ଚିମବଙ୍ଗ ସରକାର ସାରା ରାଜ୍ୟରେ ପ୍ରୋଟୋକଲ ଅନୁଯାୟୀ ଦେଶ ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପୂରା ରାଜ୍ୟରେ ପାଳନ କରୁଛନ୍ତି।
ଦିଦି ଜାନୁଆରୀ ୨୩କୁ ‘ଦେଶ ନାୟକ ଦିବସ’ ପାଳନ ସହ ଜାତୀୟ ଛୁଟି ଘୋଷଣା କରିବା ପାଇଁ ମୋଦିଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜାତୀୟ ଏବଂ ବିଶ୍ୱସ୍ତରୀୟ ଆଇକନ୍ ଭାବେ ନେତାଜୀଙ୍କ ଇତିହାସ ଭାରତୀୟ ଇତିହାସରେ ଅତୁଳନୀୟ। ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଦେଶପ୍ରେମ, ସାହସ, ନେତୃତ୍ୱ, ଏକତା ଓ ଭ୍ରାତୃତ୍ୱର ମୂର୍ତ୍ତିମନ୍ତ ପ୍ରତୀକ। ନେତାଜୀ ସମସ୍ତ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ଓ କରୁଥିବେ ମଧ୍ୟ।
ସେ ଆହୁରି କହିଛନ୍ତି, ‘ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ସାମିଲ କରାଯିବ। ଏଥିସହ ଆମଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ ପଶ୍ଚିମବଙ୍ଗର ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। ଫଳରେ ସମଗ୍ର ଦେଶ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବ ଏବଂ ଦେଶ ନାୟକ ଦିବସଙ୍କୁ ଭଲଭାବେ ପାଳନ କରିପାରିବ।’
ଅନ୍ୟପଟେ ମୋଦି ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ୧୨୫ତମ ଜୟନ୍ତୀ ଅବସରରେ ମୋର ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶ ପ୍ରତି ତାଙ୍କର ପ୍ରତିଟି ଯୋଗଦାନକୁ ନେଇ ସମସ୍ତ ଭାରତୀୟ ଆଜି ଗର୍ବିତ।