ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥି ତାଲିକା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଆଜିଠୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ। ୨୫ତାରିଖ ଅପରାହ୍ନରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହିଠାରୁ ହିଁ ନିର୍ବାଚନ ମଇଦାନରେ ପ୍ରଚାର ଜୋର୍ ଧରିବ।
ରାଜ୍ୟରେ ୯୧ ହଜାର ୮୯୦ଟି ୱାର୍ଡ ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୧୨ ହଜାର ୨୭୯ଜଣ ୱାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି ରାଜ୍ୟରେ ୬୭୯୪ ସରପଞ୍ଚ ପଦବି ପାଇଁ ମୋଟ୍ ୩୪,୬୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୫୦୦ଜଣ ଅଛନ୍ତି। ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୧୨୬ଜଣ ପ୍ରାର୍ଥୀ ଅଛନ୍ତି। କିନ୍ତୁ ଜିଲ୍ଲା ପରିଷଦ ପାଇଁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆବେଦନ ହୋଇଥିବା ପ୍ରାର୍ଥିପତ୍ର ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ସବୁଠୁ ଆଗରେ ଅଛି। ୨୫ତାରିଖ ଦିନ ଜଣାପଡ଼ିବ କେଉଁଠି କେତେ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ।