ସ୍ୱାଧୀନତା ପରେ ବିହାରରେ ପ୍ରଥମ ବିନା ମୁସଲମାନ ମନ୍ତ୍ରୀମଣ୍ଡଳ

ପାଟନା: ସାରିଛି ବିହାର ବିଧାନ ସଭା ନିର୍ବାଚନ । ଆଉ ମନ୍ତ୍ରୀମଣ୍ଡଳକୁ ଦାୟିତ୍ୱ ବି ବଣ୍ଟାସରିଛି ହେଲେ ବିହାର ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀମଣ୍ଡଳ ସାମିଲ ହୋଇନାହାନ୍ତି ଜଣେ ବି ମୁସଲମାନ । ସ୍ୱାଧୀନତା ପରେ ବିହାରରେ ପ୍ରଥମ ଥର ପାଇଁ ବିନା ମୁସଲମାନ ମନ୍ତ୍ରୀରେ ସରକାର ଗଠନ ହୋଇଛି। ରାଜ୍ୟରେ ଏନଡିଏ ସରକାର ଏହି ମନ୍ତ୍ରୀମଣ୍ଡଳ ଗଠନ କରିଛି।

ତେବେ ବିହାରରେ ମୋଟ୍ ଜନସଂଖ୍ୟାରେ ୧୬ ପ୍ରତିଶତ ମୁସଲମାନ ରହିଛନ୍ତି। ହେଲେ ସବୁଠୁ ବଡ଼ କଥା ହେଲା ଶାସକ ମେଣ୍ଟରେ ମୁସଲମାନ ନେତା ବିଧାନସଭାକୁ ନିର୍ବାଚିତ ହୋଇ ନାହାନ୍ତି। ନିର୍ବାଚନ ବେଳେ ପୂର୍ବ ସରକାରରେ ମୁସଲମାନ ମନ୍ତ୍ରୀଙ୍କୁ ଜେଡିୟୁ ପ୍ରାର୍ଥୀ କରିଥିଲା, ହେଲେ ସମସ୍ତେ ପରାଜିତ ହୋଇଛନ୍ତି। ଜେଡିୟୁ ମୋଟ୍ ୧୧ ଜଣ ମୁସଲମାନଙ୍କୁ ବିଧାନସଭାରେ ପ୍ରାର୍ଥୀ କରିଥିଲା।

ମଙ୍ଗଳବାର ନୀତୀଶ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଗଠନ କରିଥିବା ବେଳେ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀ ମଣ୍ଡଳରେ ଚାରି ଜଣ ଉଚ୍ଚ ଜାତି ଏବଂ ଓବିସିରୁ ପ୍ରତିନିଧିତ୍ୱ କରୁଥିବାବେଳେ ତିନି ଜଣ ପଛୁଆ ଜାତି ଏବଂ ଅନୁସୂଚିତ ଜାତିରୁ ଅଛନ୍ତି।

ସୂଚନାଯୋଗ୍ୟ, ବିହାର ନିର୍ବାଚନରେ ମୋଟ୍ ୨୪୩ ଆସନରୁ ଏନଡିଏକୁ ୧୨୫ଟି ଆସନ ମିଳିଥିବା ବେଳେ ମହାମେଣ୍ଟ (୧୦ଟି ଦଳ)କୁ ଏକାକୀ ୧୧୦ଟି ଆସନ ମିଳିଛି। ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛନ୍ତି। ମହାମେଣ୍ଟରେ ଆରଜେଡି, କଂଗ୍ରେସ ସମେତ ୧୦ଟି ଦଳ ରହିଛନ୍ତି।