ମୋଦୀ ସରକାର ଦୋଷମୁକ୍ତ ନୁହନ୍ତି: ଏନ୍‌ୟୁବିସି

ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନା ଲାଗୁ…

ନୂଆଦିଲ୍ଲୀ: ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନା ଲାଗୁ କରାଯାଇନି । ଏଥିପାଇଁ ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରକୁ ଦୋଷ ଦେଇ କେନ୍ଦ୍ରର ମୋଦୀ ସରକାର ଖସି ଯିବାକୁ ବସିଛନ୍ତି । ୨୦୧୮ରୁ କେନ୍ଦ୍ର ପକ୍ଷରୁ ଆରମ୍ଭ ‘ଆୟୁଷ୍ମାନ’ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ନକରିବା ଅଭିଯୋଗରେ ମୋଦୀ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର । ସେଭଳି କିଛି ନକରି ରାଜ୍ୟ ସରକାରଙ୍କ ଉପରେ ଅଯଥା ଦୋଷ ଲଦିବା ବିଜେପିର ଡାହା ଗାଲୁଆମି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ସତ୍‌ ସାହସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାହିଁ । ସମ୍ଭବତଃ ‘ଆୟୁଷ୍ମାନ’ ଯୋଜନା କେନ୍ଦ୍ର ସରକାରଙ୍କ ଇଛାଧୀନ ତାଲିକାଭୁକ୍ତ ଥିବ । ତା’ ନହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଯୋଜନା ଲାଗୁ ନକରିବା ପଛରେ ନିହିତ ସ୍ୱାର୍ଥ କ’ଣ ଅଛି? ବିଜେଡି ସରକାର ମୁଣ୍ଡରେ ଦୋଷ ଲଦି କେନ୍ଦ୍ରର ଏନ୍‌ଡିଏ ସରକାର ଖସିଯିବାକୁ ବସିଛନ୍ତି ।

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ବ୍ୟବସ୍ଥାକୁ ରାଜ୍ୟର ବିଜେଡି ସରକାର ପ୍ରତିବାଦ କରିନାହାନ୍ତି । କେନ୍ଦ୍ର ସରକାରଙ୍କ କୋଭିଡ୍‌ ଟୀକାକରଣ ନିୟମକୁ ବିଜେଡି ସରକାର ପ୍ରତିବାଦ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ନୀତିକୁ ବିଜେଡି ସରକାର ସ୍ୱାଗତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ନୀତିକୁ ବିଜେଡି ସରକାର ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜନଶୋଷଣ ନୀତିକୁ ରାଜ୍ୟ ସରକାର ପ୍ରତିବାଦ କରିନାହାନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନାକୁ ବିଜେଡି ସରକାର ଅଣଦେଖା କରୁଛନ୍ତି । କଥାଟି ସେତେ ମାତ୍ରାରେ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଏନ୍‌ୟୁବିସି ନେତା ସୀତାରାମ ବେହେରା ଅଭିଯୋଗ କରିଛନ୍ତି ।

ପଦମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟରେ ମର୍ମାହତ ହୋଇ ବିଜେପିକୁ ଆଉ କିଛି ବାଟ ମିଳିଲାନି । ନିଜର ପରାଜୟ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରା ନଯିବା ବିଷୟ ଉଠାଇଛି ବିଜେପି । ବିଭିନ୍ନ ସମୟରେ ରାଜ୍ୟକୁ ଗସ୍ତ କରିଥିବା କେନ୍ଦ୍ର ସରକାରଙ୍କ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ନବୀନବାବୁଙ୍କୁ ସମାଲୋଚନା କରିନାହାନ୍ତି । ସେପରି କ୍ଷେତ୍ରରେ ରାଜ୍ୟର କିଛି ବିଜେପି ସାଂସଦ, ରାଜ୍ୟବାସୀଙ୍କ ଦ୍ୱାରା ଉପେକ୍ଷିତ ଓ ଅନ୍ୟ ରାଜ୍ୟ କୋଟାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଧରମଛଡ଼ାଙ୍କ କଥାରେ ଓଡ଼ିଶାବାସୀ ନବୀନବାବୁଙ୍କୁ ଦୋଷୀ ମଣିବେନି ।