ନାଗପୁରରେ ବାଙ୍ଗଲାଦେଶ ବିମାନର ଜରୁରୀ ଅବତରଣ

ନାଗପୁର : ବାଙ୍ଗଲାଦେଶ ଏୟରଲାଇନ୍ସର ଏକ ବିମାନର ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ନାଗପୁର ବିମାନବନ୍ଦରରେ ଏହି ବିମାନର ଜରୁରୀ ଅବତରଣ କରାଯାଇଛି । ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ନାଗପୁର ସ୍ଥିତ ବାବାସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦ୍ଦେଶକ ଆବିଦ ରୁହୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବାଙ୍ଗଲାଦେଶ ଏୟାରଲାଇନ୍ସର ଏହି ବିମାନ ମସ୍କଟରୁ ଢ଼ାକା ଯିବା ପାଇଁ ଉଡ଼ାଣ ଭରିଥିଲା । ଏହି ସମୟରେ ପାଇଲଟ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବାରୁ ବିମାନକୁ ନାଗପୁର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମଗାଯାଇଥିଲା । ଏହାପରେ ଶୁକ୍ରବାର ଦିନ ୧୧ଟା ୪୦ ମିନିଟ୍ ସମୟରେ ବିମାନକୁ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ପାଇଲଟଙ୍କ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ବିମାନର ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା ମଧ୍ୟ କରାଯାଇଛି ।