ନୂଆଦିଲ୍ଲୀ: ଭାରତ ସରକାରଙ୍କ ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଂଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଓଡିଶା ୫ଟି ବର୍ଗରେ ପାଇବ ପୁରସ୍କାର। ଶ୍ରେଷ୍ଠ ଜିଲ୍ଲା ପଂଚାୟତ ପୁରସ୍କାର ବର୍ଗରେ ଗଞ୍ଜାମ ମନୋନୀତ ହୋଇଛି। ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଂଚାୟତକୁ ମନୋନୀତ କରାଯାଇଛି।
ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ କରାଯିବ। ୯ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ମନୋନୀତ ପଂଚାୟତଗୁଡିକୁ ଦୀନଦୟାଲ ଉପାଧ୍ୟାୟ ପଂଚାୟତ ବିକାଶ ପୁରସ୍କାର ଦିଆଯିବ।
୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୪ଟି ପଂଚାୟତକୁ ତିନୋଟି ବର୍ଗରେ ଏହି ପୁରସ୍କାର ଦିଆଯିବ। ସେହିପରି ଶ୍ରେଷ୍ଠ ଜିଲ୍ଲା ପଂଚାୟତ, ଶ୍ରେଷ୍ଠ ବ୍ଲକ୍ ପଂଚାୟତ ଏବଂ ଶ୍ରେଷ୍ଠ ଗ୍ରାମ ପଂଚାୟତ ବର୍ଗରେ ନାନାଜୀ ଦେଶମୁଖ ସର୍ବୋତମ ପଂଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯିବ।
ପୁରସ୍କାର ବିଜେତା ପଂଚାୟତଗୁଡିକୁ ପୁରସ୍କାର ରାଶି ସ୍ୱରୂପ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ। ଜାତୀୟ ପଂଚାୟତ ପୁରସ୍କାରରେ କର୍ଣ୍ଣାଟକ ସର୍ବାଧିକ ୬ଟି ପୁରସ୍କାର ପାଇବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡିଶା ୫ଟି ଲେଖାଏଁ ବର୍ଗରେ ପୁରସ୍କୃତ ହେବେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଟଲମପୁର ପଂଚାୟତ ସୁସ୍ଥ ପଂଚାୟତ ପୁରସ୍କାର ପାଇବାକୁ ମନୋନୀତ ହୋଇଛି।
ଏହି ପଂଚାୟତକୁ ତୃତୀୟ ବର୍ଗରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ।
ଜଳ ସ୍ୱଚ୍ଛଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ପଂଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ସ୍ୱଚ୍ଛ ଏବଂ ସବୁଜ ପଂଚାୟତ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧ ପଂଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଂଚାୟତ ସାମାଜିକ ନ୍ୟାୟ ଏବଂ ସାମାଜିକ ଦୃଷ୍ଟିରୁ ସୁରକ୍ଷିତ ପଂଚାୟତ ଭାବେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।
ଏହି ପଂଚାୟତକୁ ମଧ୍ୟ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ। ଶ୍ରେଷ୍ଠ ଜିଲ୍ଲା ପଂଚାୟତ ବର୍ଗରେ ଗଞ୍ଜାମ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।
ଏହି ପୁରସ୍କାର ବାବଦରେ ଗଞ୍ଜାମକୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ।
ଦେଶର ଗ୍ରାମାଂଚଳରେ ସମାବେଶୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ପଂଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଆସୁଛି।
ଏହି ପୁରସ୍କାର ଜରିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଂଚାୟତଗୁଡିକୁ ଜାତୀୟ ସ୍ତରର ମାନ୍ୟତା ଏବଂ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ।