ନିଜ ଜାତୀୟ କୀର୍ତ୍ତିମାନ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଭାରତର ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ନିଜ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୨୦୨୧ ମାର୍ଚ୍ଚରେ ପତିଆଲାରେ ନୀରଜ ୮୮.୦୭ ମିଟର ଥ୍ରୋ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ନିଜର ଉକ୍ତ ଜାତୀୟ କୀର୍ତ୍ତିମାନକୁ ନୀରଜ ଫିନଲାଣ୍ଡରେ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଫିନ୍‌ଲାଣ୍ଡର ଟୁର୍କୁରେ ଆୟୋଜିତ ପାଭୋ ନୂରମି କ୍ରୀଡ଼ାରେ ନୀରଜ ଜାଭେଲିନରେ ୮୯.୩୦ ମିଟର ଥ୍ରୋ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ନୀରଜ ୯୦ ମାର୍କକୁ ଛୁଇଁବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ଜାତୀୟ କୀର୍ତ୍ତିମାନକୁ ଅତିକ୍ରମ କରିପାରିଛନ୍ତି।