ଚୀନ୍‌ରେ ନୂଆ ଭୂତାଣୁ ‘ଲାଙ୍ଗ୍‌ୟା’ ଚିହ୍ନଟ

ମଣିଷଠାରୁ ମଣିଷକୁ ସଂକ୍ରମଣ କରିବନି

ବେଜିଂ: ଗତ ତିନି ବର୍ଷ ଭିତରେ ଚୀନ୍‌ରେ ଏପରି କିଛି ଭୂତାଣୁ ଚିହ୍ନଟ ହେବାକୁ ଲାଗିଛନ୍ତି ଯାହାର ନାଁ ଶୁଣିଲା ମାତ୍ରେ ଛାତିରେ ଛନକା ପଶିଯାଉଛି । କରୋନା ପରଠାରୁ ପ୍ରାୟ ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇସାରିଛି । ଚିହ୍ନଟ ଭୂତାଣୁ ଜୀବଜନ୍ତୁଙ୍କଠାରୁ ମଣିଷ ନିକଟକୁ ସଂକ୍ରମିତ ହୋଇଥିଲେ ମଧ୍ୟ ଏକମାତ୍ର କରୋନା ଭୂତାଣୁ ପରେ ମଣିଷଠାରୁ ମଣିଷକୁ ସଂକ୍ରମଣ କରିବାର କ୍ଷମତା ରଖିଛି ।

ଦୁଇଦିନ ତଳେ ଚୀନ୍‌ ଗବେଷକ ଟିମ୍‌ ପଶୁଠାରୁ ମଣିଷକୁ ସଂକ୍ରମଣ କରିଥିବା ଭୂତାଣୁ ‘ଲାଙ୍ଗୟା’ ଚିହ୍ନଟ କରିଛନ୍ତି । ପୂର୍ବ ଚୀନରୁ ପ୍ରାୟ ୧୫ ଜଣ ଲୋକଙ୍କ ନିକଟରେ ‘ଲାଙ୍ଗୟା’ ଚିହ୍ନଟ କରାଯାଇଛି । ଗବେଷକଙ୍କ ମତରେ ‘କରୋନା’ ଭଳି ‘ଲାଙ୍ଗୟା’ ମହାମାରୀ ରୂପ ନେବନାହିଁ । ଉକ୍ତ ଭୂତାଣୁ କେବଳ ପଶୁଠାରୁ ମଣିଷକୁ ସଂକ୍ରମଣ କରିଥାଏ । ‘ଲାଙ୍ଗୟା’ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କେହି ସଂକ୍ରମିତ ହୋଇଥିବାର ସୂଚନା ନାହିଁ । ତା’ ସହିତ ଲାଙ୍ଗୟା ସଂକ୍ରମଣରେ କେହି ମରିଥିବାର ସୂଚନା ସରକାରଙ୍କ ପାଖରେ ନାହିଁ । ‘ଲାଙ୍ଗୟା’ ଭୂତାଣୁର ପୂର୍ବ ରୂପ ଥିଲା ‘ପାଥୋଜେନ୍‌’ । ୨୦୧୮ରୁ ୨୦୨୧ ଭିତରେ ଚୀନର ସାନ୍‌ଡୋଙ୍ଗ ଓ ହେନାନ୍‌ ପ୍ରଦେଶରେ ୩୫ ଜଣଙ୍କୁ ପାଥୋଜେନ୍‌ ସଂକ୍ରମଣ କରିଥିଲା । ମାତ୍ର କାହାର ଜୀବନ ନେଇ ନଥିଲା ।