ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ସାମାଜିକ ସଶକ୍ତୀକରଣ ପାଇଁ ଶିକ୍ଷା ସବୁଠୁ ବଡ଼ ଅସ୍ତ୍ର..

୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା

ମୋର ପ୍ରିୟ ଦେଶବାସୀ, 
ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର ଯାଏ, ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ନାଗରିକମାନେ, ସମସ୍ତେ ଯେଉଁ ଆନନ୍ଦ, ଉତ୍ସାହ ଓ ଆଗ୍ରହର ସହିତ ଆମ ସ୍ୱାଧୀନତା ଉତ୍ସବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ । ତାହା ଦେଖିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶବାସୀ ଆଜାଦୀ କା ଅମୃତ ମହୋତ୍ସବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ।

ସ୍ୱାଧୀନତା ଦିବସ ପାଳନ ମଧ୍ୟ ମୋ ପିଲାଦିନର କଥା ମନେ ପକାଇ ଦେଉଛି । ଆମ ଗାଁ ସ୍କୁଲରେ ସ୍ୱାଧୀନତା ଦିବସ ଉତ୍ସବ ପାଳନରେ ଭାଗ ନେବାକୁ ଆଗ୍ରହ ଓ ଇଚ୍ଛାକୁ ଆମେ ରୋକି ପାରୁ ନ ଥିଲୁ । ଯେତେବେଳେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେଉଥିଲା, ସେତେବଳେ ଏକ ବୈଦ୍ୟୁତିକ ଶକ୍ତି ଆମ ଶରୀରରେ ପ୍ରବାହିତ ହେବା ପରି ଅନୁଭୂତ ହେଉଥିଲା । ଦେଶପ୍ରେମର ଗର୍ବ ଓ ଗୌରବରେ ପରିପୂର୍ଣ୍ଣ ଆମ ହୃଦୟକୁ ନେଇ ଆମେ ଜାତୀୟ ପତାକାକୁ ସାଲ୍ୟୁଟ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରୁଥିଲୁ । ଏହା ଆମ ମନରେ ଅନେକ ଦିନ ଧରି ରହୁଥିଲା । ମୁଁ ଯେତେବେଳେ ଜଣେ ସ୍କୁଲ ଶିକ୍ଷକ ହେଲି ସେତେବେଳେ ପିଲାଦିନର ସ୍ମୃତିକୁ ପୁନଃ ଜାଗରିତ କରିବାର ସୁଯୋଗ ମୋତେ ମିଳିଲା ଏବଂ ସେଥିପାଇଁ ମୁଁ ନିଜକୁ ଭାଗ୍ୟବତୀ ମନେ କରେ । ।

ଆମେ ଯେତେବେଳେ ବଡ ହେଲୁ ସେତେବେଳେ ଆମ ପିଲାମାନଙ୍କ ଭଳି ଆମର ଆନନ୍ଦକୁ ସେତେ ଅଧିକ ପ୍ରଦର୍ଶନ କରିପାରୁ ନ ଥିଲୁ । ତଥାପି ଆମ ଭିତରେ ଜାତୀୟ ଉତ୍ସବ ପାଳନର ଦେଶାତ୍ମବୋଧ ଭାବନା ଓ ଉତ୍ସାହ କମି ନ ଥିଲା । ସ୍ୱାଧୀନତା ଦିବସ ଆମକୁ ସ୍ମରଣ କରାଏ ଯେ ଆମେ କେବଳ ମଣିଷ ନୁହଁନ୍ତି, ବରଂ ଏକ ମହାନ୍ ଓ ବୃହତ୍ତମ ଜନ ସମୁଦାୟର ଏକ ଅଂଶବିଶେଷ । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଆମେ ଜନ ସମୁଦାୟ ଓ ନାଗରିକ ।

ଏକ ମହାନ୍ ଗଣତନ୍ତ୍ରର ଅଂଶବିଶେଷ ଭାବେ ଆମେ ଆମ ସ୍ୱାଧୀନତା ଦିବସ ପାଳନ କରୁଛୁ ଏହା ସତ୍ୟ । ଆମ ପ୍ରତ୍ୟେକଙ୍କର ଅନେକ ପରିଚୟ ରହିଛି । ଜାତି, ପନ୍ଥ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ଆମ ପରିବାର ଓ ବୃତ୍ତି ସହିତ ସମ୍ପୃକ୍ତ । ମାତ୍ର ଏସବୁ ସତ୍ୱେ ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ ହେଲା, ଆମେ ସମସ୍ତେ ଭାରତୀୟ, ଭାରତର ନାଗରିକ । ଆମ ମଧ୍ୟରୁ ପ୍ରତ୍ୟେକ ନାଗରିକ ଦେଶ ଆଗରେ ସମାନ । ଆମ ସମସସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ । ଏହି ଭୂମିରେ ଆମ ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ ସମାନ ।

ଭାରତ ଗଣତନ୍ତ୍ରର ଜନନୀ ଏବଂ ପ୍ରାଚୀନ କାଳରୁ ଆମ ଦେଶରେ ସମାଜର ତଳସ୍ତରରେ ଗଣତାନ୍ତ୍ରିକ ଅନୁଷ୍ଠାନ କାର୍ଯ୍ୟକରି ଆସୁଥିଲା । ଦୀର୍ଘକାଳୀନ ଉପନିବେଶବାଦୀ ଶାସନ ସେସବୁକୁ ନିଃଶେଷ କରିଦେଇଥିଲା । ୧୯୪୭ ଅଗଷ୍ଟ୧୫ରେ ଭାରତରେ ଏକ ନୂତନ ସୂର୍ଯ୍ୟୋଦୟ ହେଲା । ଆମେ ବିଦେଶୀ ଶାସନରୁ କେବଳ ମୁକ୍ତି ପାଇଲୁ ନାହିଁ, ଆମ ଭାଗ୍ୟ ଲେଖିବାର ସ୍ୱାଧୀନତା ମଧ୍ୟ ଆମକୁ ମିଳିଲା ।

ଆମ ସ୍ୱାଧୀନତା ସହିତ ଅନେକ ଉପନିବେଶରୁ ବିଦେଶୀ ଶାସକମାନେ ହଟିବାକୁ ଲାଗିଲେ । ଆମ ସ୍ୱାଧୀନତାର ସ୍ୱାତନ୍ତ୍ର‌୍ୟ ହେଲା-ଏହାର ଲକ୍ଷ କେବଳ ହାସଲ ହୋଇନାହିଁ, ଆମେ ବରଂ କିଭଳି ଏହି ମୁକ୍ତି ସଂଗ୍ରାମରେ ଲଢିଲୁ ତାହାର ଗୁରୁତ୍ୱ ପ୍ରତିପାଦିତ ହେଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ମହାନ ମୁକ୍ତି ସଂଗ୍ରାମୀ ଓ ଦେଶଭକ୍ତମାନେ ଏକାଠି ହୋଇ ଏହି ସଂଗ୍ରାମକୁ ଏକ ଅନୁପମ ଆଦର୍ଶ ଢାଞ୍ଚା ପ୍ରଦାନ କରିଥିଲେ । ସେହି ନୀତି ଓ ଆଦର୍ଶ ଉପରେ ଦେଶରେ ସ୍ୱାଧୀନତା ସଂଗ୍ରାମ ହୋଇଥିଲା । ଗାନ୍ଧିଜୀ ଓ ଅନ୍ୟମାନେ ଭାରତ ମାତାର ଆତ୍ମାକୁ ପୁନଃ ପ୍ରଜ୍ଜ୍ୱଳିତ କଲେ । ଏହା ଫଳରେ ଆମେ ଆମ ରାଷ୍ଟ୍ର ତାହାର ସାଭ୍ୟତିକ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କଲା । “ସତ୍ୟ ଓ ଅହିଂସା”-ଯାହା ଭାରତର ଜାଜୁଲ୍ୟମାନ ଉଦାହରଣ ଥିଲା ତାହାକୁ ଅନୁକରଣ କରି ବିଶ୍ୱର ଅନେକ ଭାଗରେ ରାଜନୀତିକ ସଂଗ୍ରାମ ଆରମ୍ଭ ହେଲା ଓ ସେମାନେ ଏଥିରେ ଆମ ଭଳି ମଧ୍ୟ ସଫଳ ହେଲେ ।

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆମର ସେହି ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଦେଶବାସୀଙ୍କ ସହିତ ମୋର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରୁଛି । ସେମାନଙ୍କ ଯୋଗୁଁ ଭାରତ ବିଶ୍ୱ ଦରବାରରେ ଉପଯୁକ୍ତ ସ୍ଥାନ ପାଇବାର ଆଜି ସମର୍ଥ ହୋଇଛି । ମାତଙ୍ଗନୀ ହାଜରା ଓ କନକଲତା ବରୁଆଙ୍କ ଭଳି ମହାନ୍ ମହିଳା ମୁକ୍ତି ସଂଗ୍ରାମୀମାନେ ଭାରତ ମାତାଙ୍କ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ । ମା’ କସ୍ତୁରବା ଜାତିର ପିତାଙ୍କ ସହ ତାଳ ମିଳାଇ ସତ୍ୟାଗ୍ରହର ବନ୍ଧୁର ପଥରେ ଆଗକୁ ବଢିଥିଲେ । ସରୋଜିନୀ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମାଦେବୀ, ଅରୁଣା ଆସଫ ଅଲ୍ଲୀ ଓ ସୁଚେତା କୃପାଳିନୀଙ୍କ ଭଳି ଅନେକ ମହାନ୍ ମହିଳା ଭବିଷ୍ୟତର ମହିଳା ପିଢିଙ୍କ ପାଇଁ ସେବା, ତ୍ୟାଗ ଓ ଦେଶଭକ୍ତିର ଉଚ୍ଚ ପ୍ରେରଣାଦାୟୀ ଆଦର୍ଶ ଛାଡିଗଲେ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମବିଶ୍ୱାସର ସହିତ ଦେଶର ମହିଳମାନେ ରାଷ୍ଟ୍ର ଓ ସମାଜ ପାଇଁ କାମ କରିପାରିବେ । ଆଜି ଆମ ଦେଶର ମହିଳାମାନେ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ସେବା ଓ ଅବଦାନ ଫଳରେ ଦେଶର ଗରିମା ବୃଦ୍ଧି ପାଉଛି । ଅଳ୍ପ କେଇ ଦଶକ ତଳେ ଯେଉଁସବୁ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କଳ୍ପନାତୀତ ଥିଲା ଏବେ ସେଠାରେ ନାରୀମାନେ ଚମତ୍କାର ସଫଳତା ହାସଲ କରୁଛନ୍ତି ।

ମୁଁ ଆନନ୍ଦର ସହ କହୁଛି ଯେ ଆମ ଦେଶରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଆର୍ଥିକ ସଶକ୍ତିକରଣ ପରିବାର ଓ ସମାଜରେ ମହିଳାମାନଙ୍କ ସ୍ଥିତି ସୁଦୃଢ କରେ । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମୁଁ ସବୁ ନାଗରିକଙ୍କୁ ଆହ୍ୱାନ ଜଣାଉଛି । ଆମ କନ୍ୟା ଓ ଭଗିନୀମାନେ ସାହାସର ସହିତ ସବୁ ଆହ୍ୱାନ ଓ ପ୍ରତିବନ୍ଧକର ମୁକାବିଲା କରି ଆଗକୁ ବଢନ୍ତୁ ଓ ଜୀବନର ଉନ୍ନତି କରନ୍ତୁ ଏହା ମୁଁ ଚାହେଁ । ମହିଳାଙ୍କ ବିକାଶ ଆମ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦର୍ଶ ଥିଲା ।

ପ୍ରିୟ ନାଗରିକ, 
ଆମ ଇତିହାସ ସହିତ ପୁନଃ ସଂଯୁକ୍ତ ହେବା ପାଇଁ ସ୍ୱାଧୀନତା ଦିବସ ଏକ ଅବସର । ଏହା ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଆକଳନ କରି ଭବିଷ୍ୟତର କର୍ମ ପନ୍ଥା ନିର୍ଦ୍ଧାରଣ କରିବାର କ୍ଷଣ । ବର୍ତ୍ତମାନ ଦେଖିଲେ ଆମକୁ ଦେଖାଯାଏ ଯେ ଭାରତ କେବଳ ବିଶ୍ୱ ମଞ୍ଚରେ ତାହାର ଯଥାର୍ଥ ସ୍ଥାନ ଫେରି ପାଇନାହିଁ, ଆମ ଦେଶ ବରଂ ଆନ୍ତର୍ଜାତିକ ସ୍ତରରେ ତାହାର ସ୍ଥିତି ଓ ପ୍ରଭାବକୁ ବଢାଇ ପାରିଛି । ବିଭିନ୍ନ ଦେଶକୁ ଗସ୍ତ କରିବା ଅବସରରେ ମୁଁ ସେଠାରେ ବସବାସ କରୁଥିବା ଭାରତୀୟଙ୍କ କାହାଣୀରେ ଏକ ନୂଆ ଆତ୍ମବିଶ୍ୱାସ ଓ ଭାବନା ଅନୁଭବ କରିଛି । ସମଗ୍ର ବିଶ୍ୱରେ ମାନବୀୟ ଓ ବିକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକ ଗୁରୁ‌ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜି-୨୦ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଂଚର ନେତୃତ୍ୱ ମଧ୍ୟ ଭାରତ ଏବେ ନେଉଛି ।

ଜି-୨୦ ବିଶ୍ୱ ଜନ ସଂଖ୍ୟାର ଦୁଇ-ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଛି । ଅତଏବ ଆନ୍ତର୍ଜାତିକ ବୁଝାମଣା ଓ ଆଲୋଚନା କ୍ଷେତ୍ରରେ ଉଚିତ ମାର୍ଗ ନିର୍ଣ୍ଣୟ କରି ସେ ରାସ୍ତାରେ ଅଗ୍ରସର ହେବାକୁ ଏହା ଭାରତ ପାଇଁ ଏକ ଅଦ୍ୱିତୀୟ ସୁଯୋଗ । ଭାରତ ଏବେ ଜି-୨୦ ର ଅଧ୍ୟକ୍ଷ । ସୁତରାଂ ବିଶ୍ୱ ବାଣିଜ, ଅର୍ଥ ବ୍ୟବସ୍ଥା ଆଦି କ୍ଷେତ୍ରରେ ସବୁ ଦେଶର ସ୍ୱାର୍ଥ ଯେପରି ସୁରକ୍ଷିତ ହୋଇପାରିବ ସେ ଦିଗରେ ଭାରତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବ । ଫଳରେ ସମସ୍ତେ ସମାନଭାବେ ଆଗକୁ ବଢିପାରିବେ । ବାଣିଜ୍ୟ ଓ ଅର୍ଥ ବ୍ୟତୀତ ମାନବ ବିକାଶ ମଧ୍ୟ ଏହି କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ଅନେକ ବୈଶ୍ୱିକ ପ୍ରସଙ୍ଗ ରହିଛି ଯାହା ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଏସବୁ ଘଟଣା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ନୁହେଁ । ମୋର ଦୃଢ ବିଶ୍ୱାସ ଯେ ଭାରତ ବୈଶ୍ୱିକ ପ୍ରସଙ୍ଗରେ ତାହାର ନେତୃତ୍ୱର ପରାକାଷ୍ଠା ବଳରେ ପ୍ରମୁଖ ଓ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରି ଏସବୁର ସ୍ଥାୟୀ ସମାଧାନ ପାଇଁ ବାଟ ବାହାର କରିପାରିବ ।

ଜି-୨୦ର ଅଧ୍ୟକ୍ଷଭାବେ ଭାରତ ପାଇଁ ବିଶେଷତ୍ୱ ହେଲା ଯେ ଏହି ବୈଶ୍ୱିକ ମଞ୍ଚର କୂଟନୀତିକ କାର୍ଯ୍ୟକଳାପକୁ ଆମ ଦେଶ ତୃଣମୂଳ ସ୍ତରକୁ ନେଇ ପାରିଛି । ଏଥିରେ ଜନ ସହଯୋଗ ଭଳି କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ କରାଯାଇଛି । ଜି-୨୦ର ବିଷୟବସ୍ତୁ ବା ‘ଥିମ’ ଉପରେ ଭାରତର ସ୍କୁଲ ଓ କଲେଜରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହେବା ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ବିଶେଷ ଆଗ୍ରହ ରହିବା କଥା ଦେଖି ମୁଁ ବହୁତ ଆନନ୍ଦିତ ।

ସଶକ୍ତ ହେବାର ବିଚାର ସହିତ ଏହି ଉତ୍ସାହ ପ୍ରକାଶ ପାଇବା ସ୍ୱାଭାବିକ; କାରଣ ଆମ ଦେଶ ସବୁ କ୍ଷେତ୍ରରେ ବେଶ୍ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଭାରତର ଅର୍ଥନୀତି କେବଳ ସୁଦୃଢ ହୋଇନାହିଁ ମହାମାରୀର ଅସ୍ଥିର ସମୟରେ ଏହା ଅନ୍ୟ ଦେଶଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି । ଭାରତ ମହାମାରୀ ସମୟର ସମସ୍ୟାବଳୀକୁ ବେଶ୍ ଦକ୍ଷତାର ସହିତ ସୁଯୋଗରେ ପରିଣତ କରିପାରିଥିଲା । ଏହା ଫଳରେ ଏକ ଅସ୍ଥିର ସମୟରେ ଆମେ ନିରାପଦରେ ଆମ ଲକ୍ଷ୍ୟ ହାସଲ କରିପାରିଲୁ । କରୋନା ମହାମାରୀ ପରେ ବିଶ୍ୱର ସବୁ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ଥିଲା । ଏହା ଏ କ୍ଷେତ୍ରରେ ଏକ ରେକର୍ଡ । ଆମର ଅନ୍ନଦାତା, ଚାଷୀମାନେ ଆମ ଅର୍ଥନୀତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ସମଗ୍ର ରାଷ୍ଟ୍ର ସେମାନଙ୍କ ପାଖରେ ଋଣୀ ।

ବୈଶ୍ୱିକ ସ୍ତରରେ ମୁଦ୍ରାସ୍ପୀତି ଏବେ ଚିନ୍ତାର କାରଣ ପାଲଟିଛି । ମାତ୍ର ଭାରତରେ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତଭାବେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଛନ୍ତି । ଉଚ୍ଚ ମୁଦ୍ରାସ୍ପୀତି ଜନିତ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖିବାରେ ଆମ ସରକାର ସଫଳ ହେବା ଉଲ୍ଲେଖଯୋଗ୍ୟ । ଏହି ସମୟରେ ଦେଶର ଗରିବମାନଙ୍କୁ ବ୍ୟାପକ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦିଆଯାଉଛି । ବୈଶ୍ୱିକ ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସମଗ୍ର ପୃଥିବୀ ଭାରତକୁ ଚାହିଁଛି ।

ଦ୍ୱିମୁଖୀ ରଣନୀତି ଯୋଗୁଁ ଦେଶର ଅର୍ଥନୀତିକ ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି । ଗୋଟିଏ ପଟେ ନିଯୁକ୍ତି ସୃଷ୍ଟି, ପୁଞ୍ଜିନିବେଶ ଓ ଉଦ୍ୟୋଗିତାକୁ ବଢାଇବା ପାଇଁ ସରକାର ବ୍ୟବସାୟ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିବାବେଳେ ଅନ୍ୟ ପଟରେ ଦେଶର ପ୍ରତ୍ୟେକ ଅଭାବୀ ଓ ଅସହାୟ ଲୋକଙ୍କୁ ବିବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଦୁଃଖ ଲାଘବ କରୁଛନ୍ତି । ବଂଚିତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ନୀତିରେ ଅଗ୍ରାଧିକାର ପାଇଛି । ବିଭିନ୍ନ ଜନକଲ୍ୟାଣ ଓ ଦାରିଦ୍ର‌୍ୟ ନିରାକରଣ କାର୍ଯ୍ୟକ୍ରମ ଫଳରେ ଦେଶର ବହୁ ଲୋକ ଦାରିଦ୍ର‌୍ୟରୁ ଉପରକୁ ଉଠିଛନ୍ତି । ସେହିଭଳି ଆଦିବାସୀମାନଙ୍କ ବିକାଶ ପାଇଁ ସରକାର ନାନାବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ଉତ୍ସାହିତ କରାଯାଉଛି । ନିଜର ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହିତ ଆଧୁନିକତାକୁ ଗ୍ରହଣ କରିବାକୁ ମୁଁ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରୁଛି ।

ଅର୍ଥନୀତିକ ଅଭିବୃଦ୍ଧି ସହିତ ମାନବିକ ବିକାଶକୁ ସରକାର ଗୁୁରୁତ୍ୱ ଦେଉଥିବାରୁ ମୁଁ ଆନନ୍ଦିତ । ଏକଦା ଜଣେ ଶିକ୍ଷକ ଥିବାରୁ ମୁଁ ଅନୁଭବ କରିଛି ଯେ ସାମାଜିକ ସଶକ୍ତିକରଣ ପାଇଁ ଶିକ୍ଷା ହିଁ ସବୁଠୁ ବଡ ଅସ୍ତ୍ର । ୨୦୨୦ର ନୂଆ ଜାତୀୟ ଶିକ୍ଷା ନୀତି ଏ କ୍ଷେତ୍ରରେ ତାହାର ପ୍ରଭାବ ପ୍ରଦର୍ଶନ କଲାଣି । ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ ମାନଙ୍କ ସହ ମୋର ହୋଇଥିବା ବିିଭିନ୍ନ ଆଲୋଚନାରୁ ମୁଁ ଜାଣିବାକୁ ପାଇଛି ଯେ ଏବେ ଶିକ୍ଷଣ ପ୍ରକ୍ରିୟା ଅଧିକ ନମନୀୟ ହୋଇଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ନୀତି ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ କୌଶଳ ଓ ଦକ୍ଷତା ସହିତ ମିଶାଇ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ । ଏହା ଫଳରେ ଦେଶର ଏକ ବିରାଟ ପରିବର୍ତନ ଆସିବ । ଭାରତର ଅର୍ଥନୀତିକ ପ୍ରଗତି ପଛରେ ଏହାର ଜନତାଙ୍କ ସ୍ୱପ୍ନ ଶକ୍ତି କାମ କରୁଛି । ବିଶେଷକରି ଦେଶର ଯୁବପିଢି ପାଇଁ ଅସୀମ ସୁଯୋଗ ଓ ସୁବିଧା ଯୋଗାଇ ଦିଆଯାଇଛି । ଷ୍ଟାର୍ଟଅପ୍ ଠାରୁ କ୍ରୀଡା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ଯୁବବର୍ଗତ୍ତଉତ୍କର୍ଷର ନୂଆ ଦିଗ୍‌ବଳୟ ଆବିଷ୍କାର କରିଛନ୍ତି ।

ଆଜିର ନବ ଭାରତର ଆକାଂକ୍ଷାଗୁଡିକ ସକାଶେ ନୂଆ ଦିଗସବୁ ଅସୀମ । ଭାରତୀୟ ମହାକାଶ ସଂଗଠନ ନୂଆ ସୋପାନ ଛୁଉଁଛି ଏବଂ ବିଚକ୍ଷଣତାର ଉତ୍କୃର୍ଷ ସ୍ଥାପନ କରିଛି । ଚଳିତ ବର୍ଷ ଚନ୍ଦ୍ରଯାନ-୩ ମହାକାଶକୁ ଛଡାଯାଇଛି, ଯାହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିପାରିଛି । ଏହାର ବିକ୍ରମ ନାମକ ଲ୍ୟାଣ୍ଡର ଓ ପ୍ରଜ୍ଞାନ ନାମକ ରୋଭର୍ ଆଉ କିଛିଦିନ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଆମ ସମସ୍ତଙ୍କ ପାଇଁ ଏହା ଗୌରବର ମୁହୂର୍ତ ହେବ । ମୁଁ ମଧ୍ୟ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛ; କିନ୍ତୁ ଚନ୍ଦ୍ରକୁ ଆମର ଏହି ଅଭିଯାନ ମହାକାଶରେ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ଏକ ଅୟମାରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଖାଲି ମହାକାଶରେ ନୁହେଁ ପୃଥିବୀ ଉପରେ ମଧ୍ୟ ଆମର ବୈଜ୍ଞାନିକ ଏବଂ କାରିଗରୀ ବିଦ୍ୟା ବିଶେଷଜ୍ଞମାନେ ନାମ ଉଜ୍ଜ୍ୱଳ କରୁଛନ୍ତି । ଗବେଷଣା, ନବୀନତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ୫ବର୍ଷରେ ଜାତୀୟ ଅନୁସନ୍ଧାନ ଓ ଗବେଷଣା ପ୍ରତିଷ୍ଠାନକୁ ୫୦ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ । ଏହି ପ୍ରତିଷ୍ଠାନ ଆମର କଲେଜ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନଗୁଡିକୁ ଗବେଷଣା ଓ ବିକାଶ ପାଇଁ ଆଧାର ପ୍ରଦାନ କରିବ । ଏଗୁଡିକୁ ବିକାଶ କରିବା ସଙ୍ଗେ ସଙ୍ଗେ ଆଗେଇ ନେଇପାରିବ ଅନୁସନ୍ଧାନ ।

ପ୍ରିୟ ଦେଶବାସୀ,
ଜ୍ଞାନ ବିଜ୍ଞାନରେ ଉତ୍କୃର୍ଷ ଲାଭ କରିବା ଆମର ଲକ୍ଷ୍ୟ ନୁହେଁ, ଆମ ପାଇଁ ସବୁ ଲୋକଙ୍କର ବିକାଶ ଓ ସାଧନର ଲକ୍ଷ୍ୟ ରହିଛି । ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଏମିତ ଏକ କ୍ଷେତ୍ର ଯାହା ଉପରେ ସାରା ବିଶ୍ୱର ବୈଜ୍ଞାନିକ ଓ ନୀତି ନିର୍ଦ୍ଧାରକମାନଙ୍କର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର କେତେକ ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ପଡୁଛି । କିଛି ସ୍ଥାନରେ ମରୁଡି ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହିଭଳି ଘଟଣାଗୁଡିକ ବିଶ୍ୱ ଉତାପ ବୃଦ୍ଧି କାରଣରୁ ଘଟୁଛି । ତେଣୁ ସ୍ଥାନୀୟ, ଜାତୀୟ ଓ ବିଶ୍ୱସ୍ତରରେ ପରିବେଶ ପାଇଁ ସୁନିଶ୍ଚିତ ଉଦ୍ୟମର ଆବଶ୍ୟକତା ରହିଛି । ତେଣୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମେ ଅଭୂତପୂର୍ବ ଲକ୍ଷ୍ୟ ହାସଲ କରିପାରିଛୁ । ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ (ଅଭିଯାନ)ର ଭାରତ ନେତୃତ୍ୱ ନେଉଛି । ଆମ ଦେଶ ଆନ୍ତର୍ଜାତିକ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ପାଇଁ ମଧ୍ୟ ପ୍ରମୁଖ ଭୂମିକା ନିଭାଉଛି । ଆମେ ଏଲ.ଆଇ.ଏଫ. ଇ (lIFE) ଅର୍ଥାତ୍ ପରିବେଶ ପାଇଁ ଜୀବନ ଶୈଳୀ ମନ୍ତ୍ର ପ୍ରଦାନ କରିଛୁ ।

ପ୍ରିୟ ଦେଶବାସୀ
ପାଣିପାଗର ଅସ୍ଥିରତା ଯୋଗୁ ସମସ୍ତେ ପ୍ରଭାବିତ ହେଉଛନ୍ତି, କିନ୍ତୁ ଏହା ପ୍ରଭାବ ଗରିବ ଓ ଅବେହେଳିତମାନଙ୍କ ଉପରେ ଅଧିକ ପଡୁଛି । ସହର ଓ ପାହାଡିଅ ଇଲାକାକୁ ଜଳବାୟୁ ପରିବର୍ତ୍ତନ ସ୍ଥିତିର ମୁକାବିଲା କରିବା ନିମନ୍ତେ ବିଶେଷଭାବେ ସମର୍ଥ କରିବାକୁ ପଡିବ । ଆମେ ଆମର ଲୋଭ ବୃଦ୍ଧି ଯୋଗୁଁ ଆମେ ସାଂସ୍କୃତିକ ଦୁନିଆଠାରୁ ପ୍ରକୃତିକୁ ଦୂରେଇ ନେଉଛୁ ବୋଲି ମୁଁ କହିବି ଏବଂ ଏବେ ଆମେ ଅନୁଭବ କଲେଣି ଯେ ଆମକୁ ମୂଳକୁ ପୁଣି ଫେରିବାକୁ ପଡିବ । ଅନେକ ଜନଜାତି ସମ୍ପ୍ରଦାୟ ଅଛନ୍ତି, ଯେଉଁମାନେ କି ପ୍ରକୃତି ସହ ଅତି ନିବିଡ ଏବଂ ପ୍ରକୃତି ସହ ସୌହାର୍ଦ୍ଦ୍ୟ ବଜାୟ ରଖି ଜୀବନ ବିତାଉଛନ୍ତି । ସେମାନଙ୍କର ଜୀବନର ମୂଲ୍ୟବୋଧ ଓ ଜୀବନ ଶୈଳୀ ଜଳବାୟୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଅମୂଲ୍ୟ ଶିକ୍ଷା ପ୍ରଦାନ କରୁଛି । ଜନଜାତି ସମୁଦାୟ ଦ୍ୱାରା ଯୁଗ ଯୁଗ ଧରି ବଂଚି ରହିବାର ଯେଉଁ ଗୁପ୍ତ ରହସ୍ୟ ରହିଛି, ତାହା ଗୋଟିଏ ଶବ୍ଦରେ ବ୍ୟକ୍ତ କରାଯାଇପାରିବ । ସେହି ଶବ୍ଦ ହେଉଛି ସହନଶୀଳତା । ଜନଜାତି ସମୁଦାୟର ଲୋକମାନେ ପ୍ରକୃତିକୁ ମା’ ବୋଲି ଭାବନ୍ତି ଏବଂ ଏହାର ସବୁ ସମ୍ପତ୍ତି ଅର୍ଥାତ୍ ବନଜାତ ସାମଗ୍ରୀଠାରୁ ଜୀବଜନ୍ତୁମାନଙ୍କ ପ୍ରତି ସେମାନେ ସମ୍ବେଦନଶୀଳ । କେବେ କେବେ ଦୁନିଆରେ ସହାନୁଭୂତିର ଅଭାବ ଅନୁଭୂତ ହୁଏ, କିନ୍ତୁ ଇତିହାସ ସାକ୍ଷୀ ଯେ ଏଭଳି ସମୟ ମାତ୍ର ଅଳ୍ପ ସମୟ ପାଇଁ ଆସେ କାରଣ କରୁଣା ଆମର ମୂଳ ସ୍ୱଭାବ । ମୋର ଅନୁଭବ କହୁଛି, ମହିଳାମାନଙ୍କ ଅନୁକମ୍ପା ଅଧିକ ମହତ୍ୱପୂର୍ଣ୍ଣ ଓ ନିବିଡ । ଏହା ଦ୍ୱାରା ମାନବ ସମାଜ ଯେତେବେଳେ ରାସ୍ତା ଭୁଲିଯାଏ, ମହିଳାମାନଙ୍କ ଅନୁକମ୍ପା ସେମାନଙ୍କୁ ରାସ୍ତା ଦେଖାଏ । ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି । ୨୦୪୭ମସିହା ସୁ୍‌ଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶ ଆଗେଇ ଚାଲିଛି । ବଢୁଛି । ଆସନ୍ତୁ ଆମେ ସମସ୍ତେ ନିଜ ନିଜର ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ନିଭାଇବା ପାଇଁ ପ୍ରତିଜ୍ଞା କରିବା ତଥା ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ସବୁକ୍ଷେତ୍ରରେ ଉତ୍କର୍ଷ ହାସଲ ନିମନ୍ତେ ଆଗକୁ ବଢିବା ଲାଗି ସବୁପ୍ରକାର ଚେଷ୍ଟା କରିବା । ଫଳରେ ଆମ ଦେଶର ନିରନ୍ତର ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଆମର କର୍ମକୁଶଳତା ଓ ଅଭିଜ୍ଞତାକୁ ନୂଆ ସୋପାନରେ ପହଞ୍ଚାଇପାରିବା ।

ପ୍ରିୟ ଦେଶବାସୀ, 
ଆମର ସମ୍ବିଧାନ, ଆମର ମାର୍ଗଦର୍ଶକ ଦସ୍ତାବିଜ୍ । ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ସ୍ଥାନ ପାଇଛି । କିନ୍ତୁ ଆସନ୍ତୁ ଆମେ ଆମର ରାଷ୍ଟ୍ର ନିର୍ମାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଦ୍‌ଭାବନା ଓ ଭ୍ରାତୃଭାବର ବିଚାର ସହିତ ଆଗକୁ ବଢିବା । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ପୁଣି ଆପଣମାନଙ୍କୁ ବିଶେଷକରି, ସୀମାରେ ଦେଶକୁ ସୁରକ୍ଷା କରୁଥିବା ଯବାନମାନଙ୍କୁ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଥିବା ସବୁ ବାହିନୀ ଓ ପୁଲିସମାନଙ୍କୁ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ସମସ୍ତ ଅନ୍ତରଙ୍ଗ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା ।
ଧନ୍ୟବାଦ.. ଜୟହିନ୍ଦ୍‌ । ଜୟଭାରତ।