Pahalgam Terror Attack: ପହଲଗାମ ଆତଙ୍କୀ ହମ୍‌ଲାର କଡ଼ା ଜବାବ ପିଓକେ ଫେରାଅ

କଶ୍ମୀରର ଇଂଚେ ମାଟି ଉପରେ ପାକିସ୍ତାନର ଚିହ୍ନବର୍ଣ୍ଣ ରହିବା ଅନୁଚିତ

Pahalgam Terror Attack: କେବଳ କେତୋଟି ଆତଙ୍କୀ ଠିକଣା ଉପରେ ରକେଟ୍‌ ମାଡ଼ କରି ଚୁପଚାପ୍‌ ବସିପଡ଼ିଲେ ଚଳିବନି । ପହଲଗାମ ଆତଙ୍କୀ ହମ୍‌ଲାରେ ପ୍ରାଣ ହରାଇଥିବା ୨୬ ଜଣ ନିରୀହ ଜନତାଙ୍କ ବଦଳରେ ‘ଅପରେସନ୍‌ ସିନ୍ଦୁର’ #OperationSindoor ଯଥେଷ୍ଟ ନୁହେଁ ବୋଲି ଅଧିକାଂଶ ଲୋକ କହୁଛନ୍ତି । ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କୀ ସଂଗଠନର କିଛି ଗଡ଼ ଉପରେ ରକେଟ୍‌ ମାଡ଼ କରିଦେଲେ ନିହତ ୨୬ ଜଣ ଜନତାଙ୍କ ଆତ୍ମା ଶାନ୍ତି ପାଇବନି ।

ପହଲଗାମରେ ଆତଙ୍କୀ ହମ୍‌ଲା ବଦଳରେ ପିଓକେ ଭାରତକୁ ଫେରିବା ଜରୁରୀ । ପିଓକେ ଉପରେ ପାକିସ୍ତାନର କବ୍‌ଜା ଥିବା ପର୍ଯ୍ୟନ୍ତ ଆତଙ୍କୀ ସଂଗଠନକୁ ମୂଳପୋଚ୍ଛ କରିବା ଅସମ୍ଭବ । ‘କଶ୍ମୀରର ଇଂଚେ ମାଟି ଉପରେ ପାକିସ୍ତାନର ଚିହ୍ନବର୍ଣ୍ଣ ରହିବା ଅନୁଚିତ । ପାକିସ୍ତାନ ହାତରୁ ପିଓକେ ଛଡ଼ାଇ ଆଣିବାର ସମୟ ଉପନୀତ । ଏଭଳି ସମୟରେ ପାକିସ୍ତାନ ଓ ପିଓକେ ଅଂଚଳରେ ବାସ କରୁଥିବା ଆତଙ୍କୀ ସଂଗଠନକୁ ଟାର୍ଗେଟ୍‌ କରିଦେଲେ ଚଳିବନି ।’ ଏପରି ମତାମତ ପ୍ରଦାନ କରିଛି ଅଲ୍‌ ଇଣ୍ଡିଆ ମିଡିଆ ୱାର୍କର୍‌ସ କନ୍‌ଫେଡେରେସନ୍‌ ।

ଏଠାରେ ଜଣାଇ ଦିଆଯାଉଛି କି ଏପ୍ରିଲ ୨୨ ତାରିଖର ଆତଙ୍କୀ ହମ୍‌ଲାର ଜବାବ ଦେବା ପାଇଁ ଭାରତ ସରକାରଙ୍କୁ ୧୫ ଦିନ ଲାଗିଗଲା । ଭାରତର ତିନି ସେନାବାହିନୀ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ୍‌ ସିନ୍ଦୁର । ୨୫ ମିନିଟ୍‌ ଭିତରେ ୨୬ଟା ମିଶାଇଲ ମାଡ଼ କରିଥିଲା ଭାରତ । ଭାରତୀୟ ବାୟୁସେନାର ହମ୍‌ଲାରେ ପାକିସ୍ତାନ ଛାନିଆ । ଭାରତର ହମ୍‌ଲାରେ ପାକିସ୍ତାନର କେତେ ଜଣ ମରିଛନ୍ତି । ସେମାନଙ୍କ ଭିତରେ କେତେ ଜଣ ଆତଙ୍କୀ ଅଛନ୍ତି । କୁଖ୍ୟାତ ଆତଙ୍କୀ ମାସୁଦ ଆଝାର ମରିଛି କି ନା’, ତା’ର ସ୍ପଷ୍ଟ ସୂଚନା ଭାରତ ସରକାରଙ୍କ ନିକଟରେ ନାହିଁ ।

ତେବେ ଆମ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରି ଖୁସି ଅଛନ୍ତି । ନରେନ୍ଦ୍ର ମୋଦିଙ୍କୁ ମୁଣ୍ଡରେ ବସାଇଥିବା ବିଜେପି କର୍ମୀମାନେ ସହର ବଜାର ଗାଁ ଗଣ୍ଡାକୁ ନାଚି କୁଦି ଉଚ୍ଛନ୍ନ କରି ପକାଉଛନ୍ତି । ଯାହା ହେଉ ଠିକଣା ସମୟରେ ଆମ ମୋଦି ମରଦପଣିଆ ଦେଖାଇ ଦେଇଛନ୍ତି । ବିରୋଧୀ ଦଳଙ୍କ ମୁହଁରେ ତାଲା ପକାଇ ଦେଇଛନ୍ତି । ଏମିତି କେତେ କ’ଣ ଶୁଣିବାକୁ ମିଳିଥିଲା ବିଜେପି କର୍ମୀଙ୍କ ମୁହଁରୁ ।