ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ, ଟ୍ୱିଟରରେ ଝଡ଼

ନୂଆଦିଲ୍ଲୀ: ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତର ପ୍ରଦେଶର ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କର ଆଜି ମୃତ୍ୟୁ ହୋଇଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୀଡ଼ିତା ମନିଷା ବାଲ୍ମିକୀ। ଏହି ସ୍ପର୍ଶକାତର ଘଟଣାକୁ ନେଇ ଲୋକେ ସୋସିଆଲ୍ ମିଡ଼ିଆରେ ବିଶେଷ କରି ଟ୍ୱିଟରରେ ପ୍ରବଳ ଆକ୍ରୋଶ ବ୍ୟକ୍ତ କରିଛନ୍ତି।

ସେପ୍ଟେମ୍ବର ୧୪ ତାରିଖରେ ୟୁପି ହଥରାସର ଏହି ଦଳିତ ଯୁବତୀ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାାଇଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଉଚ୍ଚ ଜାତିର ୪ ଜଣ ବ୍ୟକ୍ତି ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ପୀଡ଼ିତା ନିଜ ବୟାନରେ ଦର୍ଶାଇଛନ୍ତି। ଏପରିକି ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଜିଭ କାଟି ଦିଆଯାଇଥିଲା। ତାଙ୍କ ମେରୁଅସ୍ଥୀ ମଧ୍ୟ ଭିଷଣ ଭାବରେ ଆଘାତ ପାଇଥିଲା। ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ସତ୍ତ୍ୱେ ମନିଷା ଆଜି ଜୀବନ ହାରିଛନ୍ତି।

ଏହି ଘଟଣାକୁ ଜାତୀୟ ଗଣମାଧ୍ୟମ ଦର୍ଶାଇନଥିବା ବେଳେ ସୋସିଆଲ୍ ମିଡ଼ିଆରେ ଏହା ଟ୍ରେଣ୍ଡ ହେବାରେ ଲାଗିଛି। ୪ ଦୁଷ୍କର୍ମକାରୀଙ୍କୁ ଫାଶିରେ ଝୁଲାଇ ମନିଷାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ଲୋକେ। ଅନ୍ୟପଟେ ଉତ୍ତର ପ୍ରଦେଶରେ ଆଇନ କାନୁନ ବ୍ୟବସ୍ଥାକୁ ନେଇ କିଛି ସୋସିଆଲ୍ ମିଡ଼ିଆ ବ୍ୟବହାରକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିଭଳି ନିର୍ଭୟା ପାଣ୍ଠି, ଫାଷ୍ଟଟ୍ରାକ୍ କୋର୍ଟ ଇତ୍ୟାଦିକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ କିଛି ଘେରିଛନ୍ତି।