ୟୁକ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ସେହିପରି ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦିନିକୁ ଦିନ ଭୟଙ୍କର ହେଉଛି । ଅନ୍ୟପକ୍ଷରେ ୟୁକ୍ରେନକୁ ଚାରିପଟୁ ଘେରି ରୁଷ ସେନା ଆକାଶରୁ ଆକ୍ରମଣ ଜାରି ରଖିଛି । ଅନ୍ୟପକ୍ଷରେ ୟୁକ୍ରେନରେ ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ । ସେହିପରି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ସଚିବ ହର୍ଷ ଭର୍ଦ୍ଦନେ ଶ୍ରୀଲିଙ୍ଗଲା ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ୍‌ ଗଙ୍ଗା’ର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଅନେକ ବୈଠକର ଅଧ୍ୟକ୍ଷତା କରିଥିଲେ । ସେହିପରି ୟୁକ୍ରେନ-ରୁଷ ଲଢେଇ ମଧ୍ୟରେ ଜୟଶଙ୍କର ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ଭାଗରେ ‘ଅପରେସନ୍‌ ଗଙ୍ଗା’ ଉପରେ ବିବୃତ୍ତି ଦେବା ସହ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ଭାରତର ଷ୍ଟାଣ୍ଡ ଉପରେ ମଧ୍ୟ କହିବେ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨୦,୦୦୦ ନାଗରିକଙ୍କୁ ଉଦ୍ଧାର କରିବାରେ ଭାରତ ସକ୍ଷମ ହୋଇଛି । ସେହିପରି ଅପରେସନ୍‌ ଗଙ୍ଗା ମାଧ୍ୟମରେ ମଧ୍ୟ ବାଂଲାଦେଶ-ନେପାଳ-ପାକିସ୍ତାନ ପରି ପଡୋଶୀ ଦେଶର ଅନେକ ନାଗରିକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଭାରତ ।