ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତ ସରକାର ନବାଚାର, ସମାଜସେବା, ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଛାତ୍ରଛାତ୍ରୀଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଥିଲା । ଏହି ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।

 

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

“ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହ ଚମତ୍କାର ବାର୍ତ୍ତାଳାପ ହେଲା ।”

“ଲଢୁଆ ମନୋବଳ ପ୍ରଦର୍ଶନ କରିଥିବା ଆଦିତ୍ୟ ସୁରେଶଙ୍କ ପାଇଁ ଗର୍ବିତ । ଅସ୍ଥିଜନିତ ସମସ୍ୟା ସତ୍ତ୍ୱେ ସେ ହାର ମାନିନଥିଲେ । ଗୀତ ଗାଇବା ଜାରି ରଖି ଏବେ ସେ ଜଣେ ପ୍ରତିଭାବାନ ଗାୟକ । ୫୦୦ରୁ ଅଧିକ କାର୍ଯ୍ୟକ୍ରମ ସେ ପ୍ରଦର୍ଶନ କରିସାରିଲେଣି ।”

“ଏମ. ଗୌରବୀ ରେଡ୍ଡି ଜଣେ ସଫଳ ନୃତ୍ୟଶିଳ୍ପୀ । ସେ ବହୁ କାର୍ଯ୍ୟକ୍ରମରେ ପରିବେଷଣ କରୁଛନ୍ତି ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଋଚି ରହିଛି । ତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ମିଳିଥିବାରୁ ବେଶ ଆନନ୍ଦିତ ।”

“ମୋ ଯୁବ ବନ୍ଧୁ ସମ୍ଭବ ମିଶ୍ର ଖୁବ ସୃଜନଶୀଳ ଯୁବକ । ସେ ଅନେକ ପ୍ରବନ୍ଧ ଲେଖିଛନ୍ତି ଓ ସମ୍ମାନଜନକ ଫେଲୋସିପ ପାଇଛନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଉଛି ।”

“ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଶ୍ରେୟା ଭଟ୍ଟାଚାର୍ଯ୍ୟ ଜଣେ ତବଲା କଳାକାର, ଦୀର୍ଘ ଅବଧି ପର୍ଯ୍ୟନ୍ତ ତବଲା ବଜାଇ ସେ ରେକର୍ଡ କରିଛନ୍ତି । ସେ କଲଚରାଲ ଅଲମ୍ପିଆଡ ଅଫ ପରଫର୍ମିଂ ଆର୍ଟ୍ସ ଭଳି ମଂଚରେ ସମ୍ମାନିତ ହୋଇ ସାରିଛନ୍ତି । ତାଙ୍କ ସହ ଭଲ ବାର୍ତ୍ତାଳାପ ହେଲା ।”

“ନଦୀକୁ ଡେଇଁ ଜଣେ ମହିଳାଙ୍କୁ ବୁଡିବାରୁ ବଞ୍ଚାଇଥିବା ରୋହନ ରାମଚନ୍ଦ୍ର ବହିରଙ୍କ ପାଇଁ ମୁଁ ଗର୍ବିତ । ସେ ଅତ୍ୟନ୍ତ ସାହସିକତା ଓ ଭୟହୀନତା ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଭବିଷ୍ୟତ ପାଇଁ ତାଙ୍କୁ ମୋର ଶୁଭକାମନା ।”

“ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିତ୍ୟ ପ୍ରତାପ ସିଂହ ଚୌହ୍ୱାନଙ୍କୁ ନବାଚାର କ୍ଷେତ୍ରରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱଚ୍ଛ ଜଳ ସୁନିଶ୍ଚିତ କରିବାକୁ ଶସ୍ତା ପ୍ରଯୁକ୍ତି ବିକଶିତ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।”

“ଯୁବପୀଢିଙ୍କ ମଧ୍ୟରେ ନବାଚାରର ସମାରୋହ ! ଋଷି ଶିବ ପ୍ରସନ୍ନା ଆପ୍ ବିକଶିତ କରିବା ପାଇଁ ଆଗ୍ରହୀ । ସେ ବିଜ୍ଞାନରେ ଋଚି ରଖିବା ସହ ଏହାକୁ ଯୁବପୀଢିଙ୍କ ମଧ୍ୟରେ ଲୋକପ୍ରିୟ କରୁଛନ୍ତି । ଏହି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ଭେଟି ଆନନ୍ଦିତ ହେଲି ।”

“ଅନୁଷ୍କା ଜଲିଙ୍କ ଭଳି ଯୁବପୀଢି ଉଲ୍ଲେଖନୀୟ କରୁଣା ଓ ନବାଚାର ପ୍ରଦର୍ଶନ କରିଛନ୍ତି । ସେ ହଇରାଣ ହରକତ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଏକ ଆପ୍ ଓ ଅନ୍ୟ ଅନଲାଇନ କାର୍ଯ୍ୟକ୍ରମ ବିକଶିତ କରିବାରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ହୋଇଥିବାରୁ ଆନନ୍ଦିତ ।”

“ଆମେ ବିଭିନ୍ନ କ୍ରୀଡାକୁ ଲୋକପ୍ରିୟ କରିବା ସହ ଫିଟନେସକୁ ଗୁରୁତ୍ୱ ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ । ହନାୟା ନିସାର ଜଣେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଯିଏ ବିଭିନ୍ନ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କ ସଫଳତା ପାଇଁ ଗର୍ବିତ ।”

“ଶୌର୍ଯ୍ୟଜିତ ରଞ୍ଜିତକୁମାର ଖୈରେ ୨୦୨୨ ଜାତୀୟ କ୍ରୀଡାରେ ସଫଳତା ପାଇଁ ବହୁ ପ୍ରଶଂସିତ । ମାଲଖମ୍ବ ପ୍ରତିଯୋଗିତାରେ ସେ ପ୍ରତିଭାର ଗନ୍ତାଘର ପାଲଟିଥାନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରୁଛି ।”

“କୁମାରୀ କୋଲାଗାଟଲା ଆଲାନା ମୀନାକ୍ଷୀଙ୍କୁ ଭେଟନ୍ତୁ । ସେ ଜଣେ ବିଶିଷ୍ଟ ଚେସ ଖେଳାଳି ଓ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା । ଚେସରେ ତାଙ୍କ ସଫଳତାର ଝଲକ ବିଶ୍ୱ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ତାଙ୍କ ସଫଳତା ନିଶ୍ଚିତ ଭାବେ ଚେସ ଖେଳାଳିମାନଙ୍କ ଆଗାମୀ ପୀଢିକୁ ପ୍ରେରିତ କରିବ ।”

 

SR