ରାଜସ୍ଥାନ ପରାଜୟରେ ବ୍ରେକ ଲଗାଇଲେ ତେୱତିଆ-ପରାଗ ଯୋଡି

ଆବୁଦାବି: କ୍ରମାଗତ ୪ ଥର ପରାଜୟ ପରେ ରାଜସ୍ଥାନ ରୟାଲ୍ସ ପରାଜୟ ରେ ଲାଗିଛି ବ୍ରେକ୍। ୪ ଥର ହାର ପରେ ହିଁ ଷ୍ଟିଭ ସ୍ମିଥଙ୍କ ନେତୃତ୍ଵାଧୀନ ଦଳ ବିଜୟ ସ୍ୱାଦ ଚାଖିଛି ।

ଆଜିର ମ୍ଯାଚ୍‌ରେ ଦଳରେ ବହୁ ଅନ୍ତର୍ଜାତୀୟ ଷ୍ଟାର ଖେଳାଳି ଥିଲେ ମଧ୍ୟ  ରାହୁଲ ତେୱତିଆ ସାଜିଲେ ହିରୋ । ତାଙ୍କୁ ହିଁ ପ୍ଲେୟାର ଅଫ ଦି ମ୍ୟାଚ ମନୋନୀତ କରାଯାଇଛି । ବିଜୟ ସହ ୨ ପଏଣ୍ଟ ହାସଲ କରି ରାଜସ୍ଥାନ ଉଜ୍ଜୀବିତ ରଖିଛି ତାର ପ୍ଲେ ଅଫ ଆଶା ।  ୬ ପଏଣ୍ଟ ହାତେଇ ଥିବା ରାଜସ୍ଥାନ ଷଷ୍ଠ ସ୍ଥାନକୁ ଉଠିଛି ।

ଟସ ଜିତି ପୂର୍ବ ଭଳି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର । ଆରମ୍ଭରୁ ଜନ୍ନି ବେଆରଷ୍ଟୋ (୧୬)ଙ୍କ ଉଇକେଟ ହରାଇ ଥିଲା ହାଇଦ୍ରାବାଦ । ଏହା ପରେ ଦ୍ଵିତୀୟ ଉଇକେଟ ଲାଗି ୭୩ ରନ ଯୋଡିଥିଲେ ଅଧିନାୟକ ୱାର୍ନର ଓ ମନୀଷ ପାଣ୍ଡେ । ୱାର୍ନର (୪୮ ରନ , ୩ ଚଉକା ଓ ୨ ଛକା )ଙ୍କୁ  ପୁଣି ଥରେ ଶିକାର କରିଥିଲେ ଜୋଫ୍ରା ଆର୍ଚ୍ଚର । ପାଣ୍ଡେ ୫୪ (୨  ଚଉକା ଓ  ୩ ଛକା ) ଆଉଟ ହେବା ପରେ କେନ ଉଇଲିୟମସନ ୨୨ (୨ ଛକା ) ଓ ପ୍ରିୟମ ଗାର୍ଗ ୧୫ (୧ ଲେଖାଏଁ ଚଉକା ଓ ଛକା ) ଖେଳିଥିଲେ ଉପଯୋଗୀ ଇନିଂସ । ଫଳରେ ହାଇଦ୍ରାବାଦ ୪ ଉଇକେଟ କ୍ଷତିରେ ୧୫୮ ରନ କରିଥିଲା । ଜବାବରେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ । ଦଳ ମାତ୍ର ୭୮ ରନରେ ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ପରାଜୟ ଦ୍ଵାରରେ ପହଁଚି ଯାଇଥିଲା । ହେଲେ ଦଳର ଦୁଇ ଯୁବ ଖେଳାଳି ତେୱତିଆ ଓ ରିୟାନ ପରାଗ ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ଦୁହେଁ ୪୭ ବଲରେ ୮୫ ରନ ଯୋଡି ଦଳକୁ ଦେଇଥିଲେ ବିଜୟ ଭେଟି । ୨୮ ବଲ ଖେଳିଥିବା ତେୱତିଆ ୪ ଚଉକା ଓ ୨ ଛକା ସହାୟତାରେ ୪୫ ରନ କରିଥିଲେ ।

ସେହିଭଳି ପରାଗ ୨୬ ବଲରେ ୨ ଲେଖାଏଁ ଚଉକା ଓ ଛକା ବଳରେ କରିଥିଲେ ୪୨ ରନ । ରାଜସ୍ଥାନ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୬୩ ରନ କରି ମ୍ୟାଚ ଜିତି ନେଇଥିଲା । ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ଓ ଖଲିଲ ଅହମ୍ମଦ ହାତେଇଥିଲେ ୨ ଲେଖା ଉଇକେଟ ।