ରୁଷ ଯବାନଙ୍କ ବାହୁ ଓ ହାତରେ ଧନୁ, ତ୍ରିଶୂଳ ଟାଟୁ

ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ; ରୁଷିଆର ଅଧିକାଂଶ ସୈନିକ ସେମାନଙ୍କ ହାତରେ ହିନ୍ଦୁ ଦେବାଦେବୀଙ୍କର ଟାଟୁ ଖୋଦେଇ କରିଛନ୍ତି । ଭାରତର କିଛି ଗଣମାଧ୍ୟମ ସେମାନଙ୍କୁ ପଚାରି ହିନ୍ଦୁ ଦେବାଦେବୀଙ୍କ ପ୍ରତି ବିଶ୍ୱାସ ଓ ଭକ୍ତି ଭାବନା ଶୁଣିବାକୁ ପାଇଛନ୍ତି ।
ଜଣେ ଯବାନଙ୍କ ମତରେ ରୁଷିଆର ଅଧିକାଂଶ ଜନତା ଭାରତରେ ପୂଜିତ ଦେବଦେବ ମହାଦେବ, ମା’ ଦୁର୍ଗା, ମା’ କାଳୀ, ଶ୍ରୀଗଣେଶ ଓ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତି । ସେମାନଙ୍କ ମନରେ ଏକ ଧାରଣା ରହିଛି ଯେ ହାତରେ ଗଦା, ତ୍ରିଶୂୂଳ, ଧନୁ ପ୍ରଭୃତି ଟାଟୁ ଖୋଳାଇଲେ, ସଂପୃକ୍ତ ଆୟୁଧ ଧାରଣକାରୀ ଦେବତା ଦେବୀଙ୍କର କୃପାଦୃଷ୍ଟି ରହିବ ।

ନିକଟରେ ୟୁକ୍ରେନ ସହ ଯୁଦ୍ଧ କରିଥିବା କିଛି ସେନା କହନ୍ତି, ହାତରେ ହିନ୍ଦୁ ଦେବାଦେବୀଙ୍କର ଟାଟୁ ଖୋଳିଥିବାରୁ ସେମାନେ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁମୁଖରୁ ଉଦ୍ଧାର ପାଇ ଯାଇଛନ୍ତି । ଜଣେ ଯବାନଙ୍କ ମତରେ ସେମାନେ ଗାଡ଼ିରେ ବସି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ଯୁଦ୍ଧପ୍ରପୀଡ଼ିତ ଅଂଚଳକୁ ଯାଉଥିବା ସମୟରେ ହଠାତ୍‌ ଆକାଶ ମାର୍ଗରୁ ଗୋଟିଏ ମିସାଇଲ ସେମାନଙ୍କ ଗାଡ଼ିକୁ ମାଡ଼ କଲା । ଗାଡ଼ିଟି ସଂପୂର୍ଣ୍ଣ ଧ୍ୱଂସ ପାଇଗଲା, କିଛି ଯବାନ ଖଣ୍ଡିଆ ଖାବରା ହେଲେ ମାତ୍ର କେହି ପ୍ରାଣ ହରାଇଲେନି । ଏହା ଠାକୁରଙ୍କର ଆଶୀର୍ବାଦ ନୁହେଁ ତ ଆଉ କ’ଣ ହୋଇପାରେ?

ଆଉ ଜଣେ ଯବାନ କହିଛନ୍ତି ଯେ ସେ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତି । ହାତରେ ଗଦା ଟାଟୁ କୁଟିଛନ୍ତି । ଗଭୀର ରାତିରେ ପହରା ଦେଉଥିବା ସମୟରେ ସେ ହନୁମାନଙ୍କ ନାମ ଉଚ୍ଚାରଣ କରନ୍ତି । ଅନେକ ସମୟରେ ସେ ଅନୁଭବ କରିଛନ୍ତି ଯେ କେହି ତାଙ୍କ ଆଖପାଖରେ ରହି ସୁରକ୍ଷା ପ୍ରଦାନ କରୁଛନ୍ତି ।

ରୁଷିଆରେ ଅଧିକାଂଶ ଅଂଚଳରେ ପ୍ରଭୁ ଶ୍ରୀଗଣେଶ, ମହାଦେବ, ହନୁମାନ ଓ ମା’ ଦୁର୍ଗାଙ୍କର ମନ୍ଦିର ରହିଛି । ମସ୍କୋରେ ଗୋଟିଏ ମଲର ନାମ ଗଣେଶ ମାର୍କେଟ୍‌ ରହିଛି । ୟୁକ୍ରେନର ଗୋଟିଏ ରକେଟ୍‌ ସେହି ମଲ ପାଖରେ ମାଡ଼ କଲା । ଗଣେଶ ମାର୍କେଟର କିଛି କ୍ଷତି ହେଲାନି, ମାତ୍ର ତା’ ନିକଟରେ ଥିବା କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ।