ସରିଲା ରାହୁଲଙ୍କ ମହାନାଟକ ‘ଭାରତ ଜୋଡେ଼ା ଯାତ୍ରା’

ଜୟରାମ ଆଶ୍ରମରେ ସିୟାରାମ ଦରବାରଙ୍କ ଦର୍ଶନ କରିଛନ୍ତି…..

ନୂଆଦିଲ୍ଲୀ: ଶନିବାର ସରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମହାନାଟକ ‘ଭାରତ ଜୋଡେ଼ା ଯାତ୍ରା’ । ଅଭିନେତା କମଲ ହସନ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ସହ ଥିଲେ । ବିଜେପି ଗୋଠକୁ କ୍ଷମତାଚ୍ୟୁତ କରିବା ପାଇଁ ଭାରତ ଜୋଡେ଼ା ଯାତ୍ରା’ର ମୂଳ ଉଦ୍ଦେଶ୍ୟ । ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ପୀଠକୁ ଯିବା ସହିତ ରାଜଘାଟ, ଶକ୍ତିସ୍ଥଳ, ବୀରଭୂମି ଓ ବିଜୟଘାଟ ଯାଇଥିଲେ ।

ଯାତ୍ରା କାଳରେ ରାହୁଲ ହଜରତ ନିଜାମୁଦ୍ଦିନ ଔଲିଆଙ୍କ ଦରଘା ଉପରେ ଚାଦର ବିଛାଇଛନ୍ତି । ଜୟରାମ ଆଶ୍ରମରେ ସିୟାରାମ ଦରବାରଙ୍କ ଦର୍ଶନ କରିଛନ୍ତି । ଲାଲକିଲ୍ଲାରୁ ରାହୁଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି । ରାହୁଲ କହିଛନ୍ତି, ମିଡିଆ କେନ୍ଦ୍ର ସରକାରଙ୍କ ଈଶାରାରେ କାମ କରୁଛି । ଚବିଶ ଘଂଟା ଧରି ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଛି । କିନ୍ତୁ ପ୍ରକୃତ ସତ ହେଉଛି, ସାରା ଭାରତରେ ହିନ୍ଦୁ-ମୁସଲିମ ଭିତରେ ଭାତୃତ୍ୱ ବଜାୟ ରହିଛି ।

ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଭଲ ପାଉଛନ୍ତି । ରାହୁଲ ସିଧାସଳଖ ମିଡିଆକୁ ଟାର୍ଗେଟ୍‌ କରି ନିଜ ଗୋଡ଼ରେ କୁରାଢ଼ି ମାରିବାକୁ ପସନ୍ଦ କରିନାହାନ୍ତି । ଯଦିଓ ମିଡିଆ ମୁଣ୍ଡରେ ଦୋଷ ଲଦିଛନ୍ତି; ମିଡିଆ ଉପରେ ମୋଦୀ ସରକାରଙ୍କ ଚାପ ପଡୁଥିବା କହି ସ୍ଥିତିକୁ ସମ୍ଭାଳି ନେଇଛନ୍ତି । ରାହୁଲ କହିଛନ୍ତି, ଦେଶର ପ୍ରକୃତ ସମସ୍ୟାଠାରୁ ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ନାନା ପ୍ରୟାସ ଚାଲିଛି । ତା’ ଭିତରେ ହିନ୍ଦୁ-ମୁସଲିମ ଲଢେ଼ଇ ଅନ୍ୟତମ ।

ଏହି ଅବସରରେ ସେ କହିଛନ୍ତି ଯେ ଦେଶକୁ ମୋଦୀ ସରକାର ଶାସନ କରୁନାହାନ୍ତି । ଅମ୍ବାନୀ-ଅଦାନୀ ସରକାର ଶାସନ କରୁଛି । ମୁଁ ୨୮୦୦ କିମି ଯାତ୍ରା କଲି; କୌଣସି ସ୍ଥାନରେ ହିଂସା ବିଦ୍ୱେଷ ଦେଖିବାକୁ ପାଇଲିନି । ଦେଶର ଯୁବକ ଯୁବତୀମାନଙ୍କ ପାଇଁ ରୋଜଗାର କରିବାର ସବୁ ବାଟ ବନ୍ଦ କରି ଦିଆଯାଇଛି । ଯୁବକ ଯୁବତୀଙ୍କ ପାଇଁ ବ୍ୟାଙ୍କ ଦରଜା ବନ୍ଦ । ରାହୁଲଙ୍କ ‘ଭାରତ ଜୋଡେ଼ା ଯାତ୍ରା’କୁ ଗୋଟିଏ ବାକ୍ୟରେ ପ୍ରକାଶ କଲେ, ‘ଶହେଟି ମୂଷା ଖାଇ ବିରାଡି ବୋଲାଉଛି ମହାବୈଷ୍ଣବୀ’ ।