୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ସିସୋଦିୟା

ବିଜେପି ପ୍ରବକ୍ତା ଜୟବୀର ଶେରଗିଲ ଟ୍ୱିଟ୍‌ କରି ଆପ୍‌ ସରକାରଙ୍କର ଗାତ୍ର ଦାହ କରିଛନ୍ତି…

ନୂଆଦିଲ୍ଲୀ: ଦିଲ୍ଲୀ ରାଉଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ । ସଂଶୋଧିତ ଅବକାରୀ ନୀତି ପାଇଁ ସିସୋଦିୟାଙ୍କୁ ଦାୟୀ କରି ସିବିଆଇ ରବିବାର ଦିନ ସନ୍ଧ୍ୟାରେ ଗିରଫ କରିଥିଲା । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବୟାନକୁ ସତ ମଣି ସିବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି । ସିସୋଦିୟାଙ୍କ ଗିରଫଦାରିକୁ ପ୍ରତିବାଦ କରି ଆପ୍‌ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମୁଣ୍ଡ ଟେକିଛି ।

ବିଗତ ବିଧାନସଭା ନିର୍ବାଚନରେ ଆପ୍‌ ପତିଆରାକୁ ସହି ନପାରି କେନ୍ଦ୍ରର ମୋଦୀ ସରକାର ପ୍ରତିହିଂସା ପରାୟଣ ହୋଇଛି ବୋଲି ଆପ୍‌ ଅଭିଯୋଗ କରିଛି । ବିଜେପି ପ୍ରବକ୍ତା ଜୟବୀର ଶେରଗିଲ ଟ୍ୱିଟ୍‌ କରି ଆପ୍‌ ସରକାରଙ୍କର ଗାତ୍ର ଦାହ କରିଛନ୍ତି । ସେ କହିଛନ୍ତି, ଆପ୍‌ ସରକାର ବିବାଦୀୟ ଅବକାରୀ ନୀତି ପ୍ରତ୍ୟାହାର କଲା କାହିଁକି? ଅବକାରୀ ଦୁର୍ନୀତି ମାମଲାରେ ଜଡ଼ିତ ସହ-ଅଭିଯୁକ୍ତଙ୍କୁ ଜାମିନ ମିଳିଲାନି କାହିଁକି? କୋର୍ଟ ସିସୋଦିୟାଙ୍କୁ ପାଂଚଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଇଲେ କାହିଁକି?

ସିସୋଦିୟାଙ୍କ ଗିରଫଦାରିକୁ କେନ୍ଦ୍ର କରି ଆପ୍‌ ନେତା ଗୋପାଳ ରାୟ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସିସୋଦିୟାଙ୍କ ଘର, ବ୍ୟାଙ୍କ ଓ ଗ୍ରାମରୁ କିଛି ପାଇଲାନି ସିବିଆଇ । ଆଗକୁ କିଛି ପାଇବ ନାହିଁ । ଦିଲ୍ଲୀ ଅବକାରୀ ନୀତି ଉପରେ ମୋହର ମାରିଛନ୍ତି ଉପ-ରାଜ୍ୟପାଳ । ସିବିଆଇ ଉପ-ରାଜ୍ୟପାଳଙ୍କୁ ଜେରା କରିବା ଉଚିତ ।