ଦିଲ୍ଲୀ ହିଂସା ଘଟଣାରେ ୬ ସନ୍ଦିଗ୍ଧ ଚିହ୍ନଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ କୁଶଳ ସିନେମା ନିକଟରେ ହିଂସା ଦେଖାଯାଇଛି । ଏକ ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ କରିଥିଲେ । ଏହାପରେ ସେଠାରେ ଉତ୍ତେଜନା ଦେଖାଯିବା ସହ ପଥରମାଡ ସହିତ ଖଣ୍ଡା ବୁଲିଥିଲା । ଅନ୍ୟପକ୍ଷରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡି ନଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୬ ପୁଲିସ କର୍ମୀ ଆହତ ହୋଇଛନ୍ତି । ସେହିପରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ୬ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ ୧୨ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ଲୋକଙ୍କୁ ଭିନ୍ନ ଏକ ସ୍ଥାନକୁ ନେଇ ପଚରାଉଚରା କରାଯାଉଛି । ଜହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୁଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ପୁଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସମ୍ପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଆହତ ପୁଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ ।