ଜିପ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌: ୯ ଶ୍ରମିକଙ୍କ ମୁର୍ତ୍ୟୁ

ଭୋର ସମୟରେ କର୍ଣ୍ଣାଟକାରେ ଟୁମକୁର ଅଞ୍ଚଳରେ …

ବେଙ୍ଗାଲୁରୁ: ଭୋର ସମୟରେ କର୍ଣ୍ଣାଟକାରେ ଟୁମକୁର ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଛିନଛତ୍ର ହୋଇଯାଇଛି ଜିପ୍‌। ଏହି ଘଟଣାରେ ୯ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ୍‌ କହିଛି ଯେ ଭୋର ୪ଟାରେ ଏହି ଘଟଣା ଘଟଣା ଘଟିଛି। ମୃତାହତମାନେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଭୋର ସମୟରେ ସେମାନେ ରାଇଚୁରରୁ ଜିପ୍‌ ଯୋଗେ ବେଙ୍ଗାଲୁରୁ ସହରକୁ କାମ ଅନ୍ୱେଷଣରେ ଯାଉଥିଲେ। ତେବେ ଟୁମକୁର ଜାତୀୟ ରାଜପଥରେ ସେମାନଙ୍କ ଜିପ୍‌କୁ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ପ୍ରାଣ ହରାଇଛନ୍ତି। ସେହିପରି ଟ୍ରକ୍‌ ଧକ୍କାରେ ଜିପ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇ ଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୪ ଜଣ ପୁରୁଷ ଓ ଦୁଇ ଜଣ ଛୋଟ ପିଲା ରହିଛନ୍ତି। ଘଟଣାରେ ଆଉ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଟୁମକୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶିରା ତାଲୁକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେକଥା ସ୍ପଷ୍ଟ ହୋଇନି। କେବଳ ଜିପ୍‌ରେ ଥିବା ଲୋକମାନେ ମୃତାହତ ହୋଇଛନ୍ତି ନା ଟ୍ରକ୍‌ରେ ବି କିଛି ଲୋକ ଥିଲେ, ସେକଥା ମଧ୍ୟ ଜଣାପଡ଼ିନି।