ଶ୍ରୀସାଇଲମ୍ ଅଗ୍ନିକାଣ୍ଡ, ୬ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ତେଲେଙ୍ଗାନା ଶ୍ରୀସାଇଲମ୍ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଲାଗିଥିବା ଭୟଙ୍କର ନିଆଁ ୬ ଜଣଙ୍କର ଜୀବନ ନେଇଛି। ୬ଟି ମୃତଦେହ ଉଦ୍ଧାର ହେବାପରେ ଏହା ସ୍ପଷ୍ଟ ହୋଇଛି। ଅନ୍ୟ ୩ ଜଣ ଏବେ ବି ପ୍ଲାଣ୍ଟ ମଧ୍ୟରେ ଫସି ରହିଥିବା ବେଳେ ତାଙ୍କର କୌଣସି ଖୋଜ ଖବର ନାହିଁ।

https://twitter.com/narendramodi/status/1296775051807789057?ref_src=twsrc%5Etfw

ଗତକାଲି ବିଳମ୍ବିତ ରାତିରେ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଏକ ଟନେଲ୍ ପାୱାର୍ ହାଉସରେ ନିଆଁ ଲାଗିଥିଲା। ଘଟଣା ଘଟିବା ସମୟରେ କାରଖାନା ଭିତରେ ୧୯ଜଣ ଫସି ରହିଥିଲେ | ୧୦ ଜଣ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ଡିଭିଜନ୍ ଇଞ୍ଜିନିୟର, ଚାରି ଆସିଷ୍ଟାଣ୍ଟ ଇଞ୍ଜିନିୟର, ଦୁଇଜଣ ଜୁନିଅର ପ୍ଲାଣ୍ଟ ଆଟେଣ୍ଡାଣ୍ଟ ଏବଂ ଅନ୍ୟ ଦୁଇଜଣଙ୍କ ସମେତ ନଅ ଜଣ ଭିତରେ ରହିଗଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି।

ସର୍ଟ ସର୍କିଟିଂ ଯୋଗୁଁ ପ୍ଲାଣ୍ଟରେ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଖୋଜିବା ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ସିଆଇଡି ଅତିରିକ୍ତ ନିର୍ଦ୍ଦେଶକ ଗୋବିନ୍ଦ ସିଂଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି।