ଫେକ୍‌ ନ୍ୟୁଜ ଉପରେ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଫେକ୍‌ ନ୍ୟୁଜ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଫେକ୍‌ ନ୍ୟୁଜ ଖବର ପ୍ରଚାର କରୁଥିବାରୁ ୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ଚ୍ୟାନେଲକୁ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ସୂଚନାଯୋଗ୍ୟ ଯେ, ମିଛ ଖବର ପ୍ରଚାର କରୁଥିବା ୟୁଟ୍ୟୁବ ଚ୍ୟାନେଲ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ଏହା ସହ ୩ଟି ଟ୍ୱିଟର, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍‌ ୱେବସାଇଟକୁ ମଧ୍ୟ ବ୍ଲକ୍‌ କରିଥିବା ସୂଚନା ମିଳିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ସବୁ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍‌ ଚ୍ୟାନେଲର ଲୋଗୋ ଏବଂ ଥମ୍ବନେଲ ବ୍ୟବହାର କରୁଥିଲେ । ଏହା ସହ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ର ବାହିନୀ, ଜମ୍ମୁ-କଶ୍ମୀର ଭଳି ବିଭିନ୍ନ ଭାରତ ବିରୋଧୀ ମିଥ୍ୟା ଖବର କ୍ରମାଗତ ଭାବେ ପୋଷ୍ଟ କରୁଥିଲେ । ସେିହପରି ଅନ୍ୟ ଦେଶ ସହ ସଂପର୍କ ତିକ୍ତ କରିବା ପାଇଁ ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡିକ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡିତ ମିଥ୍ୟା ଖବର ଦେଖାଯାଉଥିବା ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମୋଦୀ ସରକାର ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଥିଲେ ।