ବୁଡିଲା ବୋଟ: ୭୦ରୁ ଊର୍ଦ୍ଧ୍ୱ ମୃତ

ଅତ୍ୟଧିକ ଲୋଡିଂ କାରଣରୁ ଭାରସାମ୍ୟ ହରାଇ ଏପରି ଘଟିଥିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି…..

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯିବା ଫଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି । ପ୍ରାୟ ୩୦ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଏବେ ମଧ୍ୟ ଅନେକ ନିଖୋଜ ରହିଥିବା ସିରିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ଏହି ବୋଟରେ ଶରଣାର୍ଥୀ ଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ବୋଟରେ ମୋଟ କେତେ ଯାତ୍ରୀ କିମ୍ବା ଶରଣାର୍ଥୀ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।

ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର ଅପରେସନ ଜାରି ରହିଛି । ସେମାନେ ସିରିଆର ପ୍ରକୃତ ନାଗରିକ ନା ବେଆଇନ ଭାବେ ସିରିଆରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଶରଣାର୍ଥୀ ତାହା ବର୍ତ୍ତମାନ ସଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ନେଇ ସିରିଆର ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି, ଏହି ବୋଟରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ଥିଲେ । ବୋଟରେ ମାତ୍ର ୩୦ ଜଣ ଯାତ୍ରା କରିବା କ୍ଷମତା ଥିବା ବେଳେ ପ୍ରାୟ ୧୦୦ରୁ ୧୫୦ ଜଣ ଏଥିରେ ଯାତ୍ରା କରୁଥିଲେ । ଅତ୍ୟଧିକ ଲୋଡିଂ କାରଣରୁ ଭାରସାମ୍ୟ ହରାଇ ଏପରି ଘଟିଥିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।