ଟିଆରପି ସ୍କାମ: ରିପବ୍ଲିକ ଟିଭିର ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟଙ୍କ

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିର ଆବେଦର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ରିପବ୍ଲିକ ଟିଭିକୁ ଲାଗିଛି ବଡ଼ ଝଟକା । ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ରିପବ୍ଲିକ ମାମଲାରେ ଆଶ୍ୱସ୍ତି ପାଇବାକୁ ଚାହୁଁଥିଲେ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ମୁମ୍ବାଇ ପୁଲିସ୍ ସୁପ୍ରିମକୋର୍ଟକୁ ଦେଇଥିବା ସତ୍ୟପାଠରେ କହିଥିଲା ଯେ ଏହି ଆବେଦନକୁ ଅଗ୍ରାହ୍ୟ କରାଯିବା ସହ ଆବେଦନକାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଉ। କାରଣ ବାକ ସ୍ୱାଧୀନତା ଆଳରେ ଯେକୌଣସି ବ୍ୟକ୍ତି କୌଣସି ଅପରାଧିକ ମାମଲାର ତଦନ୍ତରୁ ବର୍ତ୍ତି ପାରିବ ନାହିଁ।ଘଟଣାର ଅଭିଯୁକ୍ତ କେବେ ହେଲେ ତଦନ୍ତ କେଉଁଭଳି ହେବ ଓ ଏହାର ଦିଗ କ’ଣ ରହିବ, ତା’ର ନିଷ୍ପତ୍ତି ନେଇପାରିବ ନାହିଁ। ଟିଆରପି ସ୍କାମ ଘଟଣାରେ ଅନ୍ୟ ଚ୍ୟାନେଲମାନେ ସହଯୋଗ କରୁଥିବା ବେଳେ ରିପବ୍ଲିକ ଟିଭି ଏଥିରେ ବାଧା ସୃଷ୍ଟି କରୁଛି। ଟିଆରପି ସ୍କାମର ତଦନ୍ତ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ତେଣୁ ସିବିଆଇକୁ ଏହା ହସ୍ତାନ୍ତର କରାଯାଇ ପାରିବ ନାହିଁ।

ତେବେ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ ରିପବ୍ଲିକ ଟିଭିର ୩ ଅଧିକାରୀଙ୍କୁ ସମନ କରିଥିଲା। ଏହା ବିରୋଧରେ ଉକ୍ତ ଟିଭି ଚ୍ୟାନେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସିବିଆଇ ତଦନ୍ତ ଦାବି କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ରିପବ୍ଲିକ ଟିଭିକୁ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ଜାଣିଛୁ ରିପବ୍ଲିକ ଟିଭିର ଅଫିସ ୱର୍ଲିର ଫ୍ଲୋରା ଫାଉଟେନ ପାଖରେ ରହିଛି । ତେଣୁ ଆପଣ ହାଇକୋର୍ଟରେ ଆବେଦନ କଲେ ଭଲ ହେବ। ଆଉ ଏହି ବୟାନ ପରେ ହିଁ ରିପବ୍ଲିକ ଟିଭି ପକ୍ଷରୁ ମାମଲା ଲଢ଼ୁଥିବା ହରିଶ ସାଲଭେ ଆବେଦନ ପ୍ରତ୍ୟାହାର କରିଥିଲେ।