ବିବାହ ପ୍ରଲୋଭନ ଦେଖାଇ ୧୧ ବର୍ଷ ଶାରିରୀକ ସମ୍ପର୍କ ରଖିଲେ ପ୍ରେମିକ

ଭୋପାଳ : ବିବାହ ପ୍ରଲୋଭନ ଦେଖାଇ ପ୍ରେମିକାଙ୍କ ସହ ୧୧ ବର୍ଷ ଯାଏଁ ଶାରିରୀକ ସମ୍ପର୍କ ରଖିଲେ ପ୍ରେମିକ । ଚାକିରି ହେଲେ ବିବାହ କରିବେ ବୋଲି ପ୍ରେମିକାଙ୍କୁ ଦେଖାଇଥିଲେ ସ୍ୱପ୍ନ । ହେଲେ ସାମ୍ନାକୁ ଆସିଲା ପ୍ରେମିକଙ୍କର ସାଙ୍ଘାତିକ ସତ । ପୂର୍ବରୁ ବିବାହିତ ଥିଲେ ରସିକ ପ୍ରେମିକ । ଏବେ ଥାନାର ଦ୍ୱାରସ୍ଥ ପ୍ରେମିକା । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭୋପାଳର ଜଣେ ୩୩ ବର୍ଷୀୟା ଯୁବତୀ ।

ସୂଚନାନୁଯାୟୀ, ଜଣେ ଯୁବତୀ ୨୦୦୯ରେ ଜବାହାର ଚୌକରେ ଏକ କୋଚି ସେଣ୍ଟର ପଢିବାକୁ ଯାଉଥିଲେ । ସେଠାରେ ନିୱାଡିରେ ରହୁଥିବା ଜଣେ ଯୁବକ ପ୍ରବୀଣ ପଟେରିୟାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ପ୍ରବୀଣ ଯୁବତୀଙ୍କୁ ୨୦୦୯ ଡିସେମ୍ବର ୧୦ରେ ନେଇ ଭୋପାଳରେ ଏକ ଭଡା ଘରେ ରଖିଥିଲେ । ସେଠାରେ ଯୁବତୀଙ୍କୁ ବିବାହ କରିବେ କହି ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ସେହି ସମୟରେ ପ୍ରବୀଣ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ । ତେଣୁ ପାଠ ପଢା ସରିବା ପରେ ଚାକିରି କଲେ ଯୁବତୀଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ । ହେଲେ ୨୦୧୬ରେ ପ୍ରବୀଣ ଅଚାନକ ଘରକୁ ଯାଇଥିଲେ । ଏହାପରେ ମଝିରେ ମଝିରେ ଭୋପାଳ ଆସି ଯୁବତୀଙ୍କୁ ଦେଖା କରନ୍ତି ଓ ତାଙ୍କ ସହ ସାରିରୀକ ସମ୍ପର୍କ ରଖନ୍ତି । ଯୁବତୀ ଜଣଙ୍କ ପ୍ରବୀଣଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସେ ୩ ଦିନ ତଳେ ତାଙ୍କୁ ବିବାହ କରିବେ ବୋଲି କହି ଡାକିଥିଲେ । ସେଠାରେ ଯୁବତୀ ଜଣଙ୍କ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ପ୍ରବୀଣ ଜଣେ ବିବାହିତ । ଏହାପରେ ଯୁବତୀ ଜଣଙ୍କ ନିୱାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଭୋପାଳରେ ଘଟିଥିବାରୁ ଏହି ମାମଲା ଭୋପାଳ ସ୍ଥାନାନ୍ତର କରାଯାଇଛି ।