କୁଖ୍ୟାତ ଦାଗୀ ଦାଉଦର ଭିଟାମାଟି ୨ କୋଟିରେ ନିଲାମ

ନୂଆଦିଲ୍ଲୀ: କୁଖ୍ୟାତ ଦାଗୀ ଦାଉଦ ଇବ୍ରାହିମର ପୈତୃକ ସଂପତିକୁ ୨ କୋଟି ଟଙ୍କାରେ ବିକି ଦିଆଯାଇଛି । ତା’ ଜେଜେବାପା ଅମଳରୁ ପଡ଼ି ରହିଥିବା ଚାଷଜମିର ସର୍ବନିମ୍ନ ନିଲାମ ରାଶି ୧୫,୪୪୦ ଟଙ୍କା ରଖାଯାଇଥିଲା । ପାକିସ୍ତାନରେ ଆତ୍ମଗୋପନ କରିଥିଲେ ମଧ୍ୟ ଏବେସୁଦ୍ଧା ଭାରତରେ ଦାଉଦର ଦବଦବା ରହିଥିବା ଆଶଙ୍କା କରି ତା’ ଜମିକୁ କିଣିବା ଅର୍ଥ ଜୀବନକୁ ପାଣି ଛଡ଼ାଇଦେବା ବୋଲି ଅଧିକାଂଶ ଲୋକ ଭାବୁଛନ୍ତି । ଖାସ ସେହି କାରଣରୁ ନିଲାମ କାର୍ଯ୍ୟକ୍ରମରେ କମ୍‌ ସଂଖ୍ୟକ ଲୋକ ଯୋଗଦାନ କରିଥିଲେ ।

ନିଲାମ ଅନ୍ତର୍ଭୁକ୍ତ ଜମିଟି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ମୁମ୍ବକେ ଗ୍ରାମରେ ରହିଛି । ସଂପୃକ୍ତ ଗ୍ରାମଟି କୁଖ୍ୟାତ ଦାଗୀ ଦାଉଦ୍‌ ଇବ୍ରାହିମ କାସ୍କାରର ପୈତୃକ ଭିଟାମାଟି ।

ଦାଉଦର ଆଉ ଗୋଟିଏ ଦେଢ଼ଲକ୍ଷ ଟଙ୍କାର ଜମିଟିକୁ ୩.୨୮ ଲକ୍ଷ ଟଙ୍କାରେ ବିକାଯାଇଛି । ଦାଉଦର ଚାରିଟି ପୈତୃକ ଜମିର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।