ମଇଦାନକୁ ଓହ୍ଲାଇ ପାରିବନି ଇଣ୍ଡିଆ ଗୋଠ

ଆସନ ବୁଝାମଣା ବିନା ବୈଠକ ଅସମ୍ଭବ: ଅଖିଲେଶ

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ହିନସ୍ତା ଦେଖିବା ପରେ ଇଣ୍ଡିଆ ଗୋଠର ସଭ୍ୟ ଦଳଗୁଡ଼ିକ ଆପଣା ରଣନୀତିକୁ ଆହୁରି ଦୃଢ଼ କରିଛନ୍ତି । କରିବେନି ବା କାହିଁକି; କଂଗ୍ରେସ ନେତୃତ୍ୱରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ କିଛି ରାଜନୈତିକ ଦଳ ଅଂଟା ଭିଡ଼ିଥିବା ବେଳେ କଂଗ୍ରେସ ତା’ର ବଡ଼ ଭାଇପଣିଆ ଦେଖାଇଥିଲା । ଅଧିକ ଆସନ ଦାବି କରିବା ସାଙ୍ଗକୁ ତା’ର ରଣନୀତିକୁ ସହଯୋଗୀ ଦଳଗୁଡ଼ିକ ଉପରେ ଲଦିବାକୁ ବସିଥିଲା ।

ନୀତୀଶ କୁମାର, ମମତା ବାନାର୍ଜୀ, ଲାଲୁ ଯାଦବ, ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ରାଜନେତାଙ୍କ ସହଯୋଗ ବିନା ବିଜେପିକୁ ହରାଇବା ସମ୍ଭବ ନୁହେଁ ବୋଲି ସୋନିଆ ଓ ରାହୁଲ ବୁଝି ପାରିଛନ୍ତି । ବୁଡ଼ି ଯାଉଥିବା ଲୋକଟିଏ ସାମାନ୍ୟ କାଠଟିକୁ ଆଶ୍ରୟ କରିଥାଏ ।

ସୂଚନା ମୁତାବକ, ଡିସେମ୍ବର ୬ ତାରିଖରେ ଇଣ୍ଡିଆ ଗୋଠର ବୈଠକ ହୋଇଥାନ୍ତା । କିନ୍ତା ତାହା ଡିସେମ୍ବର ୧୭ ତାରିଖକୁ ଘୁଂଚି ଯାଇଛି । ନୀତୀଶ କୁମାର, ମମତା ବାନାର୍ଜୀଙ୍କ ପରେ ଅଖିଲେଶ ଯାଦବ ମଧ୍ୟ ଡିସେମ୍ବର ୬ ତାରିଖ ବୈଠକରେ ଯୋଗଦାନ କରି ପାରିବେନି ବୋଲି ସଫା ସଫା କହିଦେଲେ ।

ଅଖିଲେଶ କହିଛନ୍ତି, ଇଣ୍ଡିଆ ଗୋଠ ଗଠନ ପୂର୍ବରୁ ଯୋଉ ନିୟମକୁ ପ୍ରାଥମିକତା ଦିଆଯାଇଥିଲା; ତାହାକୁ କଂଗ୍ରେସ ମାନିବାକୁ ପ୍ରତିଶ୍ରୁତି ଦେଉ, ତା’ ନହେଲେ ଇଣ୍ଡିଆ ଗୋଠ ବୈଠକରେ ଯୋଗଦାନ କରିବା ସମ୍ଭବ ନୁହେଁ । ଯୋଉ ରାଜ୍ୟରେ ଯୋଉ ରାଜନୈତିକ ଦଳର ପତିଆରା ଅଧିକ; ତାକୁ ଅନ୍ୟ ଦଳଗୁଡ଼ିକ ସହଯୋଗ କରିବା ଆଧାରରେ ଇଣ୍ଡିଆ ଗୋଠ ଗଠନ କରାଯାଇଥିଲା । କିନ୍ତୁ କଂଗ୍ରେସ ସବୁ ରାଜ୍ୟରେ ଅଧିକ ଆସନ ଦାବି କରୁଛି ଯାହା କସ୍ମିନ କାଳେ ସମ୍ଭବ ନୁହେଁ । ଡିସେମ୍ବର ୧୭ ତାରିଖ ବୈଠକ ପୂର୍ବରୁ ପ୍ରଥମେ ଆସନ ବୁଝାମଣା କରାଯିବା ଜରୁରୀ ।