‘ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆମର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କ ସମ୍ମାନ, ସାମର୍ଥ୍ୟ ଏବଂ ସମୃଦ୍ଧି ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଯାଇଛି ବୋଲି ରବିବାର ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଯଶୋଭୂମି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ ଏହି ଯୋଜନାରେ ୧୮ଟି ଭିନ୍ନ ଭିନ୍ନ କାମ କରୁଥିବା ବିଶ୍ୱକର୍ମା ସାଥୀମାନଙ୍କ ଉପରେ ଫୋକସ କରାଯାଇଛି । ଏମିତି କୌଣସି ଗାଁ ନାହିଁ ଯେଉଁଠି ଏହି ୧୮ ପ୍ରକାର କାମ କରୁଥିବା ଲୋକ ନାହାନ୍ତି । ଏମାନଙ୍କ ମଧ୍ୟରେ କାଠକାମ କରୁଥିବା କାର୍ପେଣ୍ଟର, କାଠ ଖେଳନା ତିଆରି କରୁଥିବା କାରିଗର, ଲୁହା କାମ କରୁଥିବା କମାର, ସୁନା ଅଳଙ୍କାର ତିଆରି କରୁଥିବା ବଣିଆ, ମାଟି କାମ କରୁଥିବା କୁମ୍ଭାର, ମୂର୍ତ୍ତି ତିଆରି କରୁଥିବା ମୂର୍ତ୍ତିକାର, ଜୋତା ତିଆରି କରୁଥିବା ଭାଇ, ରାଜମିସ୍ତ୍ରୀ ଭାବେ କାମ କରୁଥିବା ଲୋକମାନେ, ହେୟାର କଟିଂ କରୁଥିବା ଲୋକ, ପୋଷାକ ଧୋଉଥିବା ଲୋକ, ପୋଷାକ ସିଲେଇ କରୁଥିବା ଲୋକ ତଥା ଯେଉଁ ବନ୍ଧୁମାନେ ଫୁଲ ମାଳ ତିଆରି କରନ୍ତି, ମାଛଧରା ଜାଲ ତିଆରି କରନ୍ତି, ଡଙ୍ଗା ତିଆରି ଭଳି ବିଭିନ୍ନ ପ୍ରକାର କାମ କରନ୍ତି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ହଜାର ହଜାର ବର୍ଷରୁ ଯେଉଁ ସାଥୀମାନେ ଭାରତର ସମୃଦ୍ଧିର ମୂଳରେ ରହିଛନ୍ତି, ସେମାନେ ଆମର ବିଶ୍ୱକର୍ମା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ ଋଣ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢାଇବ । ଶ୍ରମଜୀବୀଙ୍କୁ ସଶକ୍ତ କରାନଗଲେ ଭାରତର ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ।

ଏହି ଯୋଜନା ଦ୍ୱାରା ଆମର ଲକ୍ଷାଧିକ ବିଶ୍ୱକର୍ମା ଭାଇ ଭଉଣୀଙ୍କୁ ଅଧିକ ଶକ୍ତି ମିଳିବ । ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପ୍ରମାଣପତ୍ର ମିଳିବ । ଲକ୍ଷାଧିକ ବିଶ୍ୱକର୍ମାଙ୍କ ଖାତାକୁ କମ୍ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯିବ । ବୃତ୍ତିଧାରୀଙ୍କ ଉତ୍ପାଦିତ ସାମଗ୍ରୀକୁ ରାଷ୍ଟ୍ରୀୟ ଓ ବୈଶ୍ୱିକ ସ୍ତରରେ ବ୍ୟବସାୟିକ ଢାଞ୍ଚାରେ ଯୋଡାଯିବ । ଏହା ହିଁ ମୋଦିଜୀଙ୍କ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସର ମନ୍ତ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମାର ଶୁଭାରମ୍ଭରେ ଉପସ୍ଥିତ ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ବିଶ୍ୱକୁ ଏକ ପରିବାର ଭାବେ ମାନନ୍ତି । ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି । ବିଶ୍ୱର ବଞ୍ଚିତ ବର୍ଗ ଲୋକଙ୍କ କଥା ଚିନ୍ତା କରୁଥିବା ନେତା ହେଉଛନ୍ତି ମୋଦି । ୨୦୧୪ରେ ଲୋକସଭା ଗୃହରେ ପ୍ରଧାନମନ୍ତ୍ରୀ ପ୍ରଥମ ଅଭିଭାଷଣରେ କହିଥିଲେ ମୋ ସରକାର ଦେଶର ବଞ୍ଚିତ ବର୍ଗଙ୍କ ପ୍ରତି ସମର୍ପିତ ରହିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସମାବେଶୀର ଚରିତ୍ର ଓ ସାମାଜିକ ନ୍ୟାୟ ଦେଖିବାକୁ ମିଳେ । ବିଗତ ୯ ବର୍ଷରେ ଗରିବ, ପଛୁଆ, ବଞ୍ଚିତ, ବିଶ୍ୱକର୍ମା ମାନଙ୍କ ଉତଥାନ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାରେ ରହିଛି । ପିଏମ ବିଶ୍ୱକର୍ମା ଯୋଜନାରେ ସମାବେଶୀ ବିକାଶ, ସାମାଜିକ ନ୍ୟାୟ ଓ ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସକୁ ଗୋଟିଏ ପାଦ ଆଗକୁ ବଢାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶବାସୀଙ୍କ ତରଫରୁ ବଞ୍ଚିତ ବର୍ଗ ଏବଂ ବିଶ୍ୱକର୍ମା ସମାଜ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ପିଏମ ଶତାୟୁ ହୁଅନ୍ତୁ ଏବଂ ଦେଶର ମାନ, ମର୍ଯ୍ୟାଦା ଏବଂ ସଭ୍ୟତା ଏହିପରି ଆଗକୁ ବଢୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ବିଶ୍ୱକର୍ମା ପ୍ରମାଣ ପତ୍ର ଗ୍ରହଣ କରିଥିବା ପୁରୀର ବସନ୍ତ କୁମାର ରଣାଙ୍କ ବ୍ୟତିତ ଗଣେଶ କୁମାର ରଣା ଏବଂ ନରସିଂହ ରଣାଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ ।