ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ତାରିଖରେ କର୍ଣ୍ଣାଟକର ମାଣ୍ଡ୍ୟା ଏବଂ ହୁବଳି – ଧରୱାଡ ପରିଦର୍ଶନ କରିବେ

ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ମାର୍ଚ୍ଚ ୧୨ ତାରିଖରେ କର୍ଣ୍ଣାଟକ ଗସ୍ତ କରିବେ,  ଯେଉଁଠାରେ ସେ ପ୍ରାୟ ୧୬,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟା ଠାରେ ପ୍ରମୁଖ ସଡକ ପ୍ରକଳ୍ପ ଗୁଡିକର  ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୩ : ୧୫ ମିନିଟ୍‌ରେ ସେ ହୁବଳି – ଧରୱାଡ ଠାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ମାଣ୍ଡ୍ୟାରେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବିକାଶ କ୍ଷେତ୍ରରେ ଦ୍ରୁତ ଗତି ସମଗ୍ର ଦେଶରେ ବିଶ୍ୱ ସ୍ତରୀୟ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ପ୍ରମାଣ ଅଟେ । ଏହି ପ୍ରୟାସରେ ଆଗକୁ ଆଉ ପାଦେ ଆଗେଇ ଯାଇ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ – ମହୀଶୁର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ଏନ୍‌ଏଚ୍ – ୨୭୫ ର ବେଙ୍ଗାଲୁରୁ – ନିଦଘଟ୍ଟା – ମହୀଶୂର ବିଭାଗର ୬ – ଲେନ୍ ବିଶିଷ୍ଟ ସଡ଼କ ଅନ୍ତର୍ଭୁକ୍ତ । ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ୧୧୮ କିଲୋମିଟରର ଏହି ଦୀର୍ଘ ପ୍ରକଳ୍ପର ବିକାଶ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ ମହୀଶୁର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଂଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହୀଶୂର – କୁଶଲନଗର  ୪ ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ୯୨ କିଲୋମିଟରରୁ ଅଧିକ ଦୀର୍ଘ ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ବେଙ୍ଗାଲୁରୁ ଏବଂ କୁଶଲନଗର ମଧ୍ୟରେ ସଂଯୋଗ ବୃଦ୍ଧିରେ ଏହି ପ୍ରକଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଏହା ଯାତ୍ରା ସମୟକୁ ପ୍ରାୟ ୫ ଘଂଟାରୁ ଏହାର ଅଧା ମାତ୍ର ୨.୫ ଘଂଟାକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

ହୁବଳି – ଧାରୱାଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଇଆଇଟି ଧାରୱାଡକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷର ବି. ଟେକ୍ ପାଠ୍ୟକ୍ରମ , ଆନ୍ତଃ – ଶୃଙ୍ଖଳାଗତ ୫ ବର୍ଷିଆ ବିଏସ୍ – ଏମ୍‌ଏସ୍  ପାଠ୍ୟକ୍ରମ , ଏମ୍‌. ଟେକ୍  ଏବଂ  ପିଏଚ୍ ଡି ପାଠ୍ୟକ୍ରମ ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ସିଦ୍ଧରୁଦ୍ଧ ସ୍ୱାମିଜୀ ହୁବଳି ଷ୍ଟେସନ ଠାରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଜାତି ଉଦ୍ଦେଶ୍ୟରେ  ଉତ୍ସର୍ଗ କରିବେ । ନିକଟରେ ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ ଦ୍ୱାରା ଏହି ରେକର୍ଡକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ୧୫୦୭ ମିଟର ଦୀର୍ଘ ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ଏହି ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ହୋସାପେଟ – ହୁବଳି – ତିନାଇଘାଟ ବିଭାଗର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ୍ ଉପରେ ପ୍ରତିବନ୍ଧକ ବିହୀନ ଟ୍ରେନ୍ ଚଳାଚଳ କାର୍ଯ୍ୟକୁ ସମ୍ପନ୍ନ କରିବ । ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀ ମାନଙ୍କୁ ସୁବିଧାଜନକ ଏବଂ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବ । ଏହାକୁ ହାମ୍ପି ସ୍ମାରକୀ ସଦୃଶ ଡିଜାଇନ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ହୁବଳି – ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କରିବେ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଗୁଡିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୨୦ କୋଟି ଟଙ୍କା ହେବ । ଏହି ପ୍ରୟାସଗୁଡିକ ସ୍ୱଚ୍ଛତା, ନିରାପଦ ଏବଂ କାର୍ଯ୍ୟକ୍ଷମ ସର୍ବସାଧାରଣ ସ୍ଥାନ ସୃଷ୍ଟି କରି ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ ସହରକୁ ଏକ ଭବିଷ୍ୟବାଦୀ ସହରୀ କେନ୍ଦ୍ରରେ ପରିଣତ କରିବ ।

ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନାର ବିକାଶ କରାଯିବ ଏବଂ ଏହା ଏହି ଅଞ୍ଚଳର ଲୋକ ମାନଙ୍କୁ ତୃତୀୟ ସ୍ତରର ହୃଦ୍‌ରୋଗ ସମ୍ବନ୍ଧିତ ସେବା ଯୋଗାଇବ । ଏହି ଅଞ୍ଚଳରେ ଜଳ ଯୋଗାଣକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଧରୱାଡ ଏକାଧିକ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୧୦୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ । ୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଟୁପାରୀହଲ୍ଲା ବନ୍ୟା କ୍ଷୟକ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।  ଏହି ପ୍ରକଳ୍ପ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ହ୍ରାସ କରିବାର ଲକ୍ଷ୍ୟ ରଖେ ଏବଂ ଏହା ମଧ୍ୟରେ ପ୍ରାଚୀର ଏବଂ ବନ୍ଧ ନିର୍ମାଣ ସମ୍ପୃକ୍ତ ଅଛି ।