ଭଦ୍ରଚୋର ସୁଡ଼ଙ୍ଗ କରି ପଶିଲେ, ‘ସରି’ ଲେଖି ପଳାଇଲେ

ଗହଣା ଦୋକାନ ଲୁଟିବା ପାଇଁ ଗୋଟିଏ ଚୋରଦଳ ସାରାରାତି ….

ମିରଟ୍‌: ଗହଣା ଦୋକାନ ଲୁଟିବା ପାଇଁ ଗୋଟିଏ ଚୋରଦଳ ସାରାରାତି ଲାଗିପଡ଼ି ଗୋଟିଏ କେନାଲ ନିକଟରୁ ଗହଣା ଦୋକାନ ଭିତରକୁ ପ୍ରାୟ ୧୫ ଫୁଟ ଲମ୍ବର ସୁଡଙ୍ଗ ଖୋଳିଲେ । ସୁନା ଅଳଙ୍କାର ଲୁଟିବା ପାଇଁ ଗ୍ୟାସ କଟର୍‌ ବାହାର କଲେ । କିନ୍ତୁ ଦୋକାନ ଭିତରେ ଶ୍ରୀକୃଷ୍ଣଙ୍କ ପ୍ରତିମା ଦେଖି ସେମାନଙ୍କ ଅନ୍ତରାତ୍ମା ବାଧା ଦେଲା । କୌଣସି ଅଳଙ୍କାରରେ ହାତ ନମାରି ମାଲିକଙ୍କ ଉଦ୍ଦେଶ୍ୟରେ ‘ଆମେ ଦୁଃଖିତ’ ଲେଖି ଚାଲି ଯାଇଥିଲେ । ୟୁପିର ମିରଟ ଅଂଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ମିରଟ ଅନ୍ତର୍ଗତ ରିଥାନି ଅଂଚଳର ଗହଣା ଦୋକାନୀ ଦୀପକ କୁମାରଙ୍କ ସୂଚନା ମୁତାବକ ଗୁରୁବାର ସକାଳେ ସେ ଦୋକାନ ଖୋଲି ଡକାୟତି ଉଦ୍ୟମ କରାଯାଇଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଦୋକାନ ଭିତରୁ କୌଣସି ଗହଣା ଚୋରି ହୋଇ ନଥିବା ଜାଣିବାକୁ ପାଇଥିଲେ ।

ଦୀପକ କହିଛନ୍ତି, ଭଦ୍ରଚୋର ଦଳ ବୁଧବାର ବିଳମ୍ବିତ ରାତିରେ ଗହଣା ଦୋକାନ ଭିତରେ ପଶିଥିଲେ; ଗ୍ୟାସ୍‌ କଟରରେ ଭଲ୍ଟ କାଟିବାକୁ ଚେଷ୍ଟା କରିଥିବେ । ଦୋକାନ ଭିତରେ ରଖା ଯାଇଥିବା ଶ୍ରୀକୃଷ୍ଣଙ୍କ ପ୍ରତିମା ଉପରେ ସେମାନଙ୍କର ଦୃଷ୍ଟି ପଡ଼ିଥିବ । ଚୋରଦଳ ଭାବିଥିବେ, ଭଗବାନ ଶ୍ରୀକୃଷ୍ଣଙ୍କ ଆଖି ଆଗରେ ଗହଣା ଲୁଟି ସେମାନେ ନର୍କରେ ପଡ଼ିବାକୁ ଚାହିଁ ନଥିବେ; ତେଣୁ ଆପଣା ବାଟରେ ଫେରିଗଲେ । ଫେରିବା ପୂର୍ବରୁ କୃତକର୍ମ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।