ମହିଳା ହକି ଦଳ ୪-୩ ଗୋଲରେ ସଂଘର୍ଷ କରି ପରାସ୍ତ

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି।

କାଂସ୍ୟ ପଦକ ପ୍ରତିଯୋଗିତା ମ୍ୟାଚରେ ଭାରତୀୟ ହକି ଦଳ ପରାଜୟ ବରଣ କରିଛି । ହେଲେ ମ୍ୟାଚରେ ଯଥା ସମ୍ଭବ ସଂଘର୍ଷ କରିଥିଲା ଟିମ ଇଣ୍ଡିଆ । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଶେଷ ଭାଗରେ ଦଳ ପରାସ୍ତ ହୋଇଥିଲା । ଯଦିଓ ପଦକ ହାସଲ କରିପାରିନଥିଲା, ତଥାପି ପ୍ରଦର୍ଶନ ବେଶ ଉଚ୍ଚକୋଟିର ଥିଲା । ଯାହା ପ୍ରସଂଶାର ପାତ୍ର ବୋଲି କ୍ରିଡାବିତମାନେ ମତ ପ୍ରକାଶ କରିଛନ୍ତି ।

ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଥିଲା। ତେବେ ଭାରତୀୟ ଟିମ୍‌ର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍‌ରେ ବଲ୍ ବାଜି ଏହି ଗୋଲ୍‌ଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।