ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଟେଷ୍ଟକୁ ବର୍ଷା ଧୋଇପାରେ

ସାଉଥହମ୍ପଟନ : ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ବିଳମ୍ବିତ ହୋଇଛି । ଇଂଲଣ୍ଡର ସାଉଥହମ୍ପଟନରେ ଖେଳାଯିବାକୁ ଥିବା ଏହି ଐତିହାସିକ ମ୍ୟାଚ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଟସ ପଡ଼ିନଥିବାବେଳେ ମ୍ୟାଚର ପ୍ରଥମ ସେସନକୁ ବାତିଲ କରିଦିଆଯାଇଛି ।
ଆଜିର ମ୍ୟାଚ ପୂର୍ବରୁ ଗତକାଲିଠାରୁ ଭାରତୀୟ ଟିମ ତା’ର ଚୂଡାନ୍ତ ଏକାଦଶ ମଧ୍ୟ ଘୋଷଣା କରିସାରିଛି । ହେଲେ ସାଉଥହମ୍ପଟନରେ ପାଗ କୋହଲା ଥିବା ବେଳେ ମ୍ୟାଚ ବେଳକୁ ବର୍ଷା ହେବାର ଆଶଙ୍କା ରହିଛି । ଯଦି ଏମିତି ହୁଏ, ତା’ହେଲେ ଫାଇନାଲ ମ୍ୟାଚର ପ୍ରଥମ ଦିନ ବର୍ଷାରେ ଧୋଇଯିବ । ଆଗାମୀ ୫ରୁ ୬ ଦିନ ଯାଏ ସାଉଥହମ୍ପଟନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ବ୍ରିଟେନର ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଜି ସାଉଥହମ୍ପଟନରେ ପ୍ରବଳ ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ରହିଛି । ଏବେଠାରୁ ହିଁ ଆକାଶରେ କଳା ବାଦଲ ଘୋଟାଇ ଆସିଲାଣି । ଆଜି ଦିନ ତମାମ ଏଭଳି ପାଗ ଲାଗି ରହିପାରେ ବୋଲି ବିଭାଗ କହିଛି ।
ଏଣୁ ମ୍ୟାଚର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି ।