ଅସୁଲ ନୋଟିସ ପ୍ରତ୍ୟାହାର କଲେ ଯୋଗୀ ସରକାର

ସର୍ବୋଚ୍ଚ ନ୍ୟାୟାଳୟରେ ସିଏଏ ବିରୋଧୀ ହିଂସା କ୍ଷତିପୂରଣ ମାମଲା

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କଠାରୁ ସାର୍ବଜନିକ ସମ୍ପତ୍ତି ନଷ୍ଟ ଅଭିଯୋଗରେ କ୍ଷତିପୂରଣ ଅସୁଲ କିମ୍ବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଉତ୍ତର ପ୍ରଦେଶ ସରକାର ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଫେରସ୍ତ ନେଇଛନ୍ତି। ଯେଉଁ ଅର୍ଥ ଅସୁଲ କରିଥିଲେ ତାହା ଫେରାଇବା ସହ ଏ ସଂକ୍ରାନ୍ତ ସମସ୍ତ ନୋଟିସ ପ୍ରତ୍ୟାହାର କରିନେଇଥିବା ଶୁକ୍ରବାର ଯୋଗୀ ଆଦିତ୍ୟନାଥଙ୍କ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରିଛନ୍ତି।
ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠ ଅନୁଯାୟୀ, ସମସ୍ତ ୨୭୪ ସମ୍ପତ୍ତି ବାଜ୍ୟାପ୍ତି ଓ କ୍ଷତିପୂରଣ ରାଶି ଅସୁଲ ନୋଟିସ ପ୍ରତ୍ୟାହାର କରି ନିଆଯାଇଛି। ଏଥିସହିତ ନୂଆ ଆଇନ ବଳରେ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିନିଆଯିବ ବୋଲି ଅବଗତ କରିଛନ୍ତି ରାଜ୍ୟ ଆଡ୍‌ଭୋକେଟ୍‌ ଜେନେରାଲ ଗରିମା ପ୍ରସାଦ। ଏଥିପାଇଁ ଏକ କ୍ଲେମ୍‌ ଟ୍ରାଇବୁନାଲ ଗଠନ କରାଯାଇଛି ଏବଂ ସମସ୍ତ ମାମଲା ସେଠାକୁ ପଠାଯାଇଛି। ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପୀଠ ଏହାକୁ ଅଗ୍ରାହ୍ୟ କରିବାରୁ ଚଳିତ ମାସ ୧୪ ଓ ୧୫ରେ ଅର୍ଥ ପ୍ରତ୍ୟାହାର ନେଇ ଦୁଇଟି ନିର୍ଦେଶାବଳୀ ସରକାର ଜାରି କରିଥିବା ଗରିମା ଅବଗତ କରିଛନ୍ତି। ଏହି ସତ୍ୟପାଠକୁ ବିଚାରପତି ଗ୍ରହଣ କରିବା ସହ ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅସୁଲ ଅର୍ଥ ଶୀଘ୍ର ସମ୍ପୃକ୍ତ ବ୍ୟକ୍ତି ଯେମିତି ଫେରିପାଇବେ ତାହାର ବ୍ୟବସ୍ଥା କରିବାକୁ ପୀଠ ପରାମର୍ଶ ଦେଇଛନ୍ତି।