ଚାଲିବାକୁ ହେବ ପଥ ବହୁଦୂର

ଚନ୍ଦ୍ରକୁ ଯାଉଛି ନାସା ମହାକାଶଯାନ

ଚନ୍ଦ୍ରପୃଷ୍ଠରେ ମଣିଷ ଅବସ୍ଥାନ ପ୍ରଚେଷ୍ଟା

ୱାଶିଂଟନ: ଦୀର୍ଘ ୫ ଦଶନ୍ଧି ପରେ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା) ବହୁ ଇପ୍‌ସିତ ପ୍ରକଳ୍ପ ‘ଅର୍ଟୋମିସ୍‌-୧’କୁ ସଫଳତାର ସହ ଆରମ୍ଭ କରିଛି । ନାସା ମହାକାଶଯାନଟି ଏବେ ଚନ୍ଦ୍ର ଅଭିମୁଖେ ସଫଳତାର ସହ ଯାତ୍ରା କରିଛି । ଆଜିର ପ୍ରୟାସଟି ନାସାର ତୃତୀୟ ପ୍ରୟାସ ଥିଲା । ମହାକାଶଯାନ ଓ ରକେଟରେ ବାରମ୍ବାର ତ୍ରୁଟି ବାହାରିବା କାରଣରୁ ପୂର୍ବରୁ ନାସାର ଦୁଇ ଦୁଇଥର ପ୍ରୟାସ ବିଫଳ ହୋଇଥିଲା । ଆଜି ମଧ୍ୟ ରକେଟ ପ୍ରେରଣ ପାଇଁ ଚୂଡ଼ାନ୍ତ ଯାଂଚ ସମୟରେ ତରଳ ହାଇଡ୍ରୋଜେନ୍‌ ଲିକ୍‌ ହେଉଥିବାର ଦେଖିବାକୁ ମିଳିଥିଲା । ତେଣୁ ନିର୍ଦ୍ଧାରିତ ସମୟକୁ କିଛି ସମୟ ଘୁଂଚାଇ ଦିଆଯାଇଥିଲା । କେଉଁ କାରଣରୁ ରକେଟରୁ ହାଇଡ୍ରୋଜେନ୍‌ ଇନ୍ଧନ ଲିକ୍‌ କରିଥିଲା ସେ ସଂପର୍କରେ ନାସା ଚୁପ ରହିଛି ।

ନାସା ପାଇଁ ଆଜ ଦିନଟି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ପୂର୍ବର ଦୁଇଥର ପ୍ରୟାସ ଫେଲ୍‌ ହୋଇଥିଲା । ୧୯୭୨ ପରେ ଏବେ ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବାର ଅଭିଯାନ ଆରମ୍ଭ ହୋଇଛି । ନାସା’ର ତିନି ସପ୍ତାହର ଅଭିଯାନଟି ସଫଳ ହେଲେ, ରକେଟ୍‌ ଚାଳକ ଦଳ ଗୋଟିଏ ଖାଲି କ୍ୟାପସୁଲକୁ ଚନ୍ଦ୍ର ପୃଷ୍ଠକୁ ପଠାଇବେ । ସେହି କ୍ୟାପସୁଲଟି ଡିସେମ୍ବର ମାସରେ ପୃଥିବୀ ପୃଷ୍ଠକୁ ଫେରିଆସିବ । ଚନ୍ଦ୍ରକୁ ମଣିଷ ପଠାଇବାର ପ୍ରକଳ୍ପ ପାଇଁ ନାସା ବହୁତ ସମୟ ଓ ପୁଞ୍ଜି ଖଟାଇଛି । କେନେଡି ସ୍ପେଶ ସେଂଟରରୁ ମହାକାଶକୁ ଛଡ଼ା ଯାଇଥିବା ରକେଟର ଶୀର୍ଷଭାଗରେ ରହି କ୍ୟାପସୁଲ ଯାତ୍ରା କରିଛି । ପୃଥିବୀର କକ୍ଷ ବାହାରକୁ ଯିବା ପାଇଁ ରକେଟ୍‌ ଦୁଇଘଂଟାରୁ କମ୍‌ ସମୟ ନେଇଥିଲା ।