ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ତ୍ରିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ଟୋକିଓ : ସମାପ୍ତ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦ । ଟୋକିଓ ଅଲିମ୍ପିକ୍ସ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିବା ସହ ୭ଟି ପଦକ ଜିଣି ଦେଶ ପାଇଁ ଗୌରବ ଆଣଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଦେଶର ଖେଳାଳିଙ୍କ ଉପସ୍ଥିତିରେ ଆଜି ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଛି ଆଉ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏବେ ସାରା ବିଶ୍ୱ ଅପେକ୍ଷା କରିବାକୁ ପଡିବ । ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ରେସଲର ବଜରଙ୍ଗ ପୁନିଆ ତ୍ରିରଙ୍ଗା ପତାକା ଧରି ଅନ୍ୟ ଦେଶର ପ୍ରତିନିଧିଙ୍କ ସହ ସାମିଲ ହୋଇଥିଲେ । ଟୋକିଓରେ ଅଲିମ୍ପିକ୍ସ ପତାକାକୁ ପ୍ୟାରିସର ମେୟର ଏନି ହିଡଲଗୋଙ୍କ ହାତରେ ଦିଆଯାଇଛି ।

କହିବାକୁ ଗଲେ ଟୋକିଓ ଅଲିମ୍ପିକ୍ସରେ ସମୁଦାୟ ୧୧ ହଜାର ୯୦ ଜଣ ଖେଳାଳି ସାମିଲ ହୋଇଥିଲେ । ଭିନ୍ନ ଭିନ୍ନ କ୍ରୀଡ଼ାରେ ୩୪୦ଟି ସ୍ୱର୍ଣ୍ଣ, ୩୩୮ଟି ରୌପ୍ୟ ଓ ୪୦୨ଟି ବ୍ରୋଞ୍ଜ ପଦକ ଖେଳାଳିଙ୍କୁ ଦିଆଯାଇଛି । ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସ ସର୍ବଶ୍ରେଷ୍ଟ ସଫଳତା ଆଣିଦେଇଥିଲା । ଭାରତ ଏହି ଅଲିମ୍ପିକ୍ସରେ ୭ ଟି ପଦକ ସହ ୪୮ତମ ସ୍ଥାନ ହାସଲ କରିଛି, ଯାହା ଅଲିମ୍ପିକ ଇତିହାସରେ ଏହାର ସର୍ବୋତମ ପ୍ରଦର୍ଶନ ଥିଲା । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଲା । ଭାରତରୁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତୋଳନକାରୀ ମିରାବାଇ ଚାନୁ ଏବଂ ରେସଲର ରବି କୁମାର ଦହିଆ ରୌପ୍ୟ ଜିତିଛନ୍ତି । ସେହିପରି ସଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗହେନ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି ।